ମଣିପୁର ଆକ୍ରମଣ : ଆତଙ୍କବାଦୀମାନେ ମିଆଁମାରରୁ ଆସିଥିଲେ !

ଇମ୍ପାଲ : ଆଜି ମଣିପୁରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର ୫ ଯବାନ ଓ ଦୁଇଜଣ ପରିବାର ସଦସ୍ୟ ମୃତ୍ୟୁବରଣ କରିବାକୁ ନେଇ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ସହିଦମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଅନ୍ୟପକ୍ଷରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ କହିଛନ୍ତି ଯେ ଆତଙ୍କବାଦୀମାନେ ସୀମା ସେପଟୁ ମିଆଁମାରରୁ ଆସିଥାଇ ପାରନ୍ତି । ତେବେ ଆସାମ ରାଇଫଲ୍ସ ଓ ମଣିପୁର ପୁଲିସର ଏକ ମିଳିତ ଅପରେସନ ଏବେ ଜାରି ରହିଛି । ଉଭୟ ପଟୁ ଗୁଳିବିନିମୟ ଜାରି ରହିଛି । ଏହି ଗୁଳିବିନିମୟରେ କେତେକ ଆତଙ୍କବାଦୀ ଆହତ ହୋଇଥିବା ସଂଦେହ କରାଯାଉଛି । କାରଣ ଗୁଳିବିନିମୟ ସ୍ଥାନରେ ରକ୍ତ ପଡ଼ିଥିବା ଦେଖାଯାଇଛି ।

ତେବେ ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ଏହି ଘଟଣାଟି ଭାରତ-ମିଆଁମାର ସୀମା ନିକଟରେ ଘଟିଥିଲା । ଆକ୍ରମଣକାରୀମାନେ ଘଟଣା ଘଟାଇ ସୀମା ସେପଟକୁ ପଳାଇଛନ୍ତି କି ଭାରତୀୟ ସୀମା ମଧ୍ୟରେ ଅଛନ୍ତି ସେ ନେଇ ଖାନତଲାସ ଜାରି ରହିଛି ବୋଲି ଶ୍ରୀ ସିଂ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଏହି ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର କମାଣ୍ଡିଂ ଅଫିସର ବିପ୍ଲବ ତ୍ରିପାଠୀ, ତାଙ୍କ ପତ୍ନୀ ଓ ୮ ବର୍ଷର ପୁଅ ନିହତ ହୋଇଛନ୍ତି ।

 

ସମ୍ବନ୍ଧିତ ଖବର