ଗାଜା: ଇସ୍ରାଏଲ ଗାଜାରେ ଏହାର ସ୍ଥଳ ଅଭିଯାନ ଜାରି ରଖିଛି। ଗାଜାର ସବୁଠାରୁ ବଡ଼ ଜବାଲିଆ ଶରଣାର୍ଥୀ ଶିବିର ଉପରେ ଗତକାଲି ଇସ୍ରାଏଲର ବିମାନ ଆକ୍ରମଣ ଯୋଗୁଁ ଜଣେ ଶୀର୍ଷ ହମାସ କମାଣ୍ଡର ଇବ୍ରାହିମ ନିପାତ ହୋଇଛି। ତେବେ ଏହି ଆକ୍ରମଣରେ ପ୍ରାୟ ୫୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ବିଶ୍ବବ୍ୟାପୀ ଉଦ୍ବେଗ ପ୍ରକାଶ ପାଇଛି। ଆରବ ରାଷ୍ଟ୍ରମାନେ ଏହାକୁ ବର୍ବର ଆଖ୍ୟା ଦେଇଥିବା ବେଳେ କେତେକ ୟୁରୋପୀୟ ରାଷ୍ଟ୍ର ମଧ୍ୟ ଏହାର ନିନ୍ଦା କରିଛନ୍ତି। ଯୁଦ୍ଧ ଆରମ୍ଭ ହେବାପରେ ଇଜିପ୍ଟ ଆଜି ପ୍ରଥମ ଥର ପାଇଁ ରାଫା କ୍ରସିଂ ଖୋଲିଥିବାରୁ ବହୁ ସଂଖ୍ୟାରେ ବିଦେଶୀ ନାଗରିକ ରାଫା କ୍ରସିଂ ଅତିକ୍ରମ କରି ଇଜିପ୍ଟ ଚାଲି ଯାଇଛନ୍ତି। ତେବେ କେତେ ସଂଖ୍ୟାରେ ନାଗରିକ ଗାଜା ଛାଡ଼ିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ସେହିପରି ଇଜିପ୍ଟରୁ ୨୦୦ରୁ ଅଧିକ ମାନବୀୟ ସହାୟତା ବୋଝେଇ ଟ୍ରକ୍ ଗାଜା ପ୍ରବେଶ କରିଛି।
ଶୀର୍ଷ ହମାସ୍ କମାଣ୍ଡର ନିହତ
ଯୁଦ୍ଧ ଘୋଷଣା କଲା ହାଉଥି
ଦ୍ବିତୀୟ ଥର ଇସ୍ରାଏଲ ଗସ୍ତ କରିବେ ବ୍ଲିଙ୍କେନ
ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହୋଇଥିବା ବର୍ବର ଆକ୍ରମଣର ନେତୃତ୍ବ ନେଇଥିବା ହମାସ ସେଣ୍ଟ୍ରାଲ ଜବାଲିଆ ବାଟାଲିୟନର କମାଣ୍ଡର ଇବ୍ରାହିମ ନିପାତ ହେବା ଇସ୍ରାଏଲ ପାଇଁ ବଡ଼ ସଫଳତା ବୋଲି କୁହାଯାଉଥିବା ବେଳେ ଅନ୍ୟପଟେ ସ୍ଥଳ ଅଭିଯାନରେ ଇସ୍ରାଏଲ ୮ ଜଣ ସୈନିକଙ୍କୁ ହରାଇଛି। ହମାସ୍ର ଗୋଳା ଓ ରକେଟ୍ ମାଡ଼ରେ ଗତ ୨୪ ଘଣ୍ଟାରେ ୮ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଅନ୍ୟପକ୍ଷରେ ଆକ୍ରମଣରେ ହମାସର ଭୂତଳ ଭିତ୍ତିଭୂମି ଭୁଶୁଡ଼ି ପଡ଼ିଛି। ଅନ୍ୟପକ୍ଷରେ ଇସ୍ରାଏଲ ଜାଣିଶୁଣି ନାଗରିକଙ୍କୁ ହତ୍ୟା କରିଛି ଏବଂ ଶରଣାର୍ଥୀ ଶିବିର ଉପରେ ଆକ୍ରମଣ ଯୋଗୁଁ ୭ ଜଣ ପଣବନ୍ଦୀଙ୍କର ମୃତ୍ୟୁ ହୋଇଛି ବୋଲି ହମାସ ଦାବି କରିଛି।
ଯୁଦ୍ଧ ଲାଗି ରହିଥିବାବେଳେ ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଶୁକ୍ରବାର ଇସ୍ରାଏଲ ଗସ୍ତ କରିବେ। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ବ୍ଲିଙ୍କେନ୍ଙ୍କର ଦ୍ବିତୀୟ ଇସ୍ରାଏଲ ଗସ୍ତ। ଗାଜାରେ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ଆକ୍ରମଣକୁ ସାଉଦି ଆରବ କଡ଼ା ନିନ୍ଦା କରିଛି। ସେହିପରି ବଲିଭିୟା ମଧ୍ୟ ଏଥିପାଇଁ ଇସ୍ରାଏଲ ସହ ସମସ୍ତ କୂଟନୈତିକ ସମ୍ପର୍କ ଚ୍ଛିନ୍ନ କରିଦେଇଛି। ଇତିମଧ୍ୟରେ ୟେମେନର ହାଉଥି ବିଦ୍ରୋହୀ ଗୋଷ୍ଠୀ ହମାସକୁ ସମର୍ଥନ କରି ଯୁଦ୍ଧରେ ସାମିଲ ହୋଇଥିବା ଆଜି ଘୋଷଣା କରିଛି। ଏହା ଇସ୍ରାଏଲ ଉପରେ ଡ୍ରୋନ୍ ଏବଂ ମିସାଇଲ ଆକ୍ରମଣ କରିଛି। ଯୁଦ୍ଧ ତୀବ୍ର ହେଉଥିବାରୁ ଦୁବାଇର ଏମିରେଟ୍ସ ଏୟାରଲାଇନ୍ସ ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ଟେଲ ଅଭିଭକୁ ବିମାନ ବାତିଲ କରିଛି।