ଗାଜା: ଇସ୍ରାଏଲ ଗାଜା ଉପରେ ଭୟଙ୍କର ଆକ୍ରମଣ ଜାରି ରଖିଛି। ମଙ୍ଗଳବାର ଓ ବୁଧବାର ରାତିରେ ଇସ୍ରାଏଲ ଗାଜା ଉପରେ ମୋଟ ୫୦ଟି ଆକ୍ରମଣ କରିଥିଲା। ଏହା ସହିତ ଇସ୍ରାଏଲ ଗତ ଗୋଟିଏ ଦିନ ମଧ୍ୟରେ ଗାଜା ଉପରେ ୧୫୦ରୁ ଅଧିକ ଆକ୍ରମଣ କରିଛି। ପରିସ୍ଥିତି ଏପରି ହୋଇଛି ଯେ କିଛି ଦିନ ମଧ୍ୟରେ ୪ ଲକ୍ଷ ଲୋକ ଗାଜାରୁ ପଳାୟନ କରିଛନ୍ତି। ଗାଜାର ଜନସଂଖ୍ୟା ପ୍ରାୟ ୧୦ ଲକ୍ଷ ଥିଲା ଏବଂ ପ୍ରାୟ ୪ ଲକ୍ଷ ଲୋକ ସେଠାରୁ ପଳାୟନ କରିଛନ୍ତି। ଅର୍ଥାତ୍ ପ୍ରାୟ ୪୦ ପ୍ରତିଶତ ଜନସଂଖ୍ୟା ଗାଜା ଛାଡି ପଳାୟନ କରିଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଗତ ଦୁଇ ଦିନ ମଧ୍ୟରେ ଗାଜାରେ ୧୫୦ଟି ଟାର୍ଗେଟ୍ ଉପରେ ଆକ୍ରମଣ କରାଯାଇଛି।
ଗତ ରାତିରେ ଇସ୍ରାଏଲ ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଇସ୍ରାଏଲ ସେନା କହିଛି ଯେ, ସେମାନେ ଆକ୍ରମଣରେ ଟନେଲ ଓ ଅନେକ କୋଠାକୁ ଟାର୍ଗେଟ କରିଛନ୍ତି। ଇସ୍ରାଏଲ କହିଛି ଯେ, ହମାସ ଆତଙ୍କବାଦୀମାନେ ଏହି କୋଠାଗୁଡ଼ିକରେ ଲୁଚି ରହିଥିଲେ। ଇସ୍ରାଏଲ ସେନା କହିଛି ଯେ ଆମର ସୁରକ୍ଷା ବାହିନୀ କ୍ରମାଗତ ଭାବରେ ଆତଙ୍କବାଦୀଙ୍କୁ ନିପାତ କରୁଛନ୍ତି। ଏ ପର୍ଯ୍ୟନ୍ତ ଆତଙ୍କବାଦୀ ସଂଗଠନର ଅନେକ ସଂରଚନା ଭାଙ୍ଗି ଦିଆଯାଇଛି। ସୋମବାରଠାରୁ ଇସ୍ରାଏଲ ସେନା ଗାଜା ଉପରେ ଭୂମି ଆକ୍ରମଣ ଆରମ୍ଭ କରିଛି।
ଗତ ସପ୍ତାହ ପ୍ରାରମ୍ଭରେ ଇସ୍ରାଏଲ କତରର ରାଜଧାନୀ ଦୋହା ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ମୁସଲମାନ ଦେଶମାନଙ୍କରେ ଅସନ୍ତୋଷ ଦେଖାଦେଇଛି। ମଙ୍ଗଳବାର ଦୋହାରେ ୬୦ଟି ମୁସଲିମ ଦେଶର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଇସ୍ରାଏଲ ବିରୋଧରେ ଏକ ସଂକଳ୍ପ ପାରିତ ହୋଇଥିଲା। ଏହି ବୈଠକରେ ପାକିସ୍ତାନ, ସାଉଦି ଆରବ, ଇରାନ, ତୁର୍କୀ ଓ ବାହାରିନ ଭଳି ମୁସଲିମ ଦେଶ ସାମିଲ ଥିଲେ। ଏହି ସମୟରେ ଉପସ୍ଥିତ ନେତାମାନେ କହିଥିଲେ ଯେ ଆମକୁ ଇସ୍ରାଏଲ ବିରୋଧରେ ଏକଜୁଟ ହେବାକୁ ପଡ଼ିବ। କେବଳ ଏତିକି ନୁହେଁ, ପାକିସ୍ତାନ ଓ ତୁର୍କୀ ଭଳି ଦେଶ ମଧ୍ୟ ଇସଲାମିକ ନାଟୋ ପ୍ରତିଷ୍ଠା ବିଷୟରେ ଆଲୋଚନା କରିଥିଲେ। ତେବେ ଏଥିରେ କୌଣସି ସହମତି ହୋଇନାହିଁ କିନ୍ତୁ କେବଳ ନିନ୍ଦା ପ୍ରସ୍ତାବ ପାରିତ ହୋଇପାରିଛି।