ହସ୍ପିଟାଲ୍ ଉପରେ ଆକ୍ରମଣ ବଢ଼ିଚାଲିଛି : ‘ହୁ’

ଆକ୍ରମଣ ପାଇଁ ୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ୟୁକ୍ରେନ୍‌ର ହସ୍ପିଟାଲ୍‌, ଆମ୍ବୁଲାନ୍ସ ଏବଂ ଅନ୍ୟ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଆକ୍ରମଣ ବଢ଼ିଚାଲିଛି। ୟୁକ୍ରେନ୍‌ରେ ପ୍ରମୁଖ ମେଡିକାଲ୍‌ ଉପକରଣଗୁଡ଼ିକ ଶେଷ ହୋଇଯାଉଛି ଏବଂ ଏହା ଭୟାନକ ସ୍ଥିତି ସୃଷ୍ଟି କରିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ଚେତାବନୀ ଦେଇଛି। ରୁଷ୍‌ ଆକ୍ରମଣରୁ ମହିଳା ଓ ଶିଶୁଙ୍କ ପାଇଁ ରହିଥିବା ସ୍ବତନ୍ତ୍ର ହସ୍ପିଟାଲ ବି ବାଦ ପଡ଼ିନାହଁ। ଫେବ୍ରୁଆରି ୨୪ରେ ରୁଷ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଏଯାବତ୍‌ ହସ୍ପିଟାଲ୍‌ମାନଙ୍କ‌ରେ ୩୪ଟି ଆକ୍ରମଣ ହୋଇଛି ୯ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଜାତିସଂଘ ସ୍ବାସ୍ଥ୍ୟ ସଂସ୍ଥା ପକ୍ଷରୁ କୁହାଯାଇଛି। କିନ୍ତୁ ଏଥିପାଇଁ କିଏ ଦାୟୀ ସେନେଇ କିଛି କୁହାଯାଇନି। ୟୁକ୍ରେନ୍‌ରେ ଅକ୍ସିଜେନ୍‌, ଇନସୁଲିନ, ପିପିଇ, ସର୍ଜିକାଲ୍‌ ସପ୍ଲାଏ, ବ୍ଲଡ୍‌ ପ୍ରଡକ୍ଟ ଆଦି କମି ଯାଉଛି। ୟୁକ୍ରେନ୍‌କୁ ଅଗ୍ରାଧିକାର ଭିତ୍ତିରେ ଅକ୍ସିଜେନ୍‌ ଯୋଗାଣ ପାଇଁ ‘ହୁ’ କହିଛି। ସେହିପରି ମହିଳାଙ୍କ ସ୍ବାସ୍ଥ୍ୟ ଏବଂ ବିଶେଷ କରି ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେବାପାଇଁ ୟୁରୋପ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ହାନ୍ସ କ୍ଲୁଗ୍‌ କହିଛନ୍ତି। ହସ୍ପିଟାଲଗୁଡ଼ିକର ସୁରକ୍ଷା ଏବଂ ଜରୁରୀ ସ୍ବାସ୍ଥ୍ୟସେବା ଜାରୀ ରଖିବା ପାଇଁ ତୁରନ୍ତ ଏକ ନୀତି ନିର୍ଦ୍ଧାରଣ କରିବା ପାଇଁ ସେ ଜାତିସଂଘକୁ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧିତ ଖବର