ୱାସିଂଟନ: ଆମେରିକାରେ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ପନ୍ନୁନକୁ ନିକଟରେ ହତ୍ୟା ଉଦ୍ୟମ ହୋଇଥିଲା ଏବଂ ଏହାକୁ ଆମେରିକା ବିଫଳ କରିଦେଇଛି ବୋଲି ‘ଫାଇନାନ୍‌ସିଆଲ ଟାଇମ୍ସ’ର ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହି ହତ୍ୟା ପ୍ରୟାସ ପାଇଁ ଆମେରିକା ଭାରତକୁ ଦାୟୀ କରି ଚେତାବନୀ ମଧ୍ୟ ଦେଇଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। କାନାଡ଼ା ଓ ଆମେରିକାରେ ରହି ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ପନ୍ନୁନ ନିକଟରେ ଏୟାର ଇଣ୍ଡିଆ ବିମାନ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲା।

Advertisment

ପନ୍ନୁନକୁ ହତ୍ୟା ଉଦ୍ୟମ ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥାର ହାତ ରହିଥିବା ଆମେରିକୀୟ ସୁରକ୍ଷା ଅଧିକାରୀମାନେ ଦର୍ଶାଇଛନ୍ତି ଏବଂ ଏଥିପାଇଁ ଭାରତକୁ ସତର୍କ କରାଇ ଦିଆଯାଇଛି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର୍‌ର ହତ୍ୟାକୁ ନେଇ ଭାରତ-କାନାଡ଼ା ସଂପର୍କ ତିକ୍ତ ହୋଇଉଠିଥିବା ବେଳେ ଏବେ ଆମେରିକାକୁ ନେଇ ଏଭଳି ରିପୋର୍ଟ ଆସିଛି। ଅନ୍ୟପକ୍ଷରେ ଭାରତ ଏଭଳି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଆସିଛି। ବିଦେଶ ମାଟିରେ ଭାରତ ବିରୋଧୀ କାର୍ଯ୍ୟକ୍ରମ ଚଳାଇଥିବା ଆତଙ୍କବାଦୀଙ୍କ ପ୍ରତି କାନାଡ଼ା ଓ ଆମେରିକାର କୋହଳ ମନୋଭାବ ନେଇ ଭାରତ ବହୁବାର ଉଦ୍‌ବେଗ ଜଣାଇଛି।