ଲଣ୍ଡନ: ଖଲିସ୍ତାନୀ ଉଗ୍ରବାଦୀମାନେ ଲଣ୍ଡନ ଗସ୍ତରେ ଥିବା ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଆଜି ଆକ୍ରମଣ ଉଦ୍ୟମ କରିଛନ୍ତି। ଏଭଳି ଅପ୍ରତ୍ୟାଶିତ ଘଟଣା ଅନ୍ତର୍ଜାତୀୟ କୂଟନୀତିରେ ହଇଚଇ ସୃଷ୍ଟି କରିଛି। ଜୟଶଙ୍କର ବ୍ରିଟିସ ଥିଙ୍କ୍ଟ୍ୟାଙ୍କ୍ ଚାଥାମ୍ ହାଉସ୍ ପକ୍ଷରୁ ଆୟୋଜିତ ସଭାରେ ଯୋଗ ଦେଇଥିବା ବେଳେ ବାହାରେ ଖଲିସ୍ତାନ ସମର୍ଥକମାନେ ଭାରତ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ଲାଇନରେ ପ୍ରସାରିତ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଜୟଶଙ୍କରଙ୍କ ଗାଡ଼ି ଆଡ଼କୁ ଦୌଡ଼ିଆସି ଲଣ୍ଡନ ପୁଲିସ ଅଧିକାରୀଙ୍କ ସମ୍ମୁଖରେ ଭାରତୀୟ ଜାତୀୟ ପତାକା ଚିରି ଦେଉଛନ୍ତି। ତେବେ ପୁଲିସ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଇଥିଲା ଏବଂ କେତେକ ଖଲିସ୍ତାନୀ ସମର୍ଥକଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଲଣ୍ଡନରେ ଖଲିସ୍ତାନୀଙ୍କ ଏଭଳି କାଣ୍ଡକୁ ଭାରତୀୟ ସମୁଦାୟ ପକ୍ଷରୁ ନିନ୍ଦା କରାଯାଇଛି।
ସୂଚନାଯୋଗ୍ୟ, ବର୍ଷ ବର୍ଷ ଧରି ଭାରତ ଅଷ୍ଟ୍ରେଲିଆ, କାନାଡା ଓ ବ୍ରିଟେନ ଭଳି ଦେଶକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଆସୁଛି। ପ୍ରଧାନମନ୍ତ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ଏହି ସବୁ ଦେଶର ନେତାଙ୍କ ସହ ଏହି ପ୍ରସଙ୍ଗ ଉଠାଇଛନ୍ତି, ବିଶେଷ କରି କାନାଡା, ଯେଉଁଠାରେ ଶିଖ୍ମାନେ ଜନସଂଖ୍ୟାର ପ୍ରାୟ ୨% ଅଟନ୍ତି। ଖଲିସ୍ତାନୀ ପ୍ରସଙ୍ଗକୁ ପଶ୍ଚିମ ରାଷ୍ଟ୍ରମାନେ ଗମ୍ଭୀରତାର ସହ ଗ୍ରହଣ କରୁନଥିବା ବେଳେ ଏବେ ଖଲିସ୍ତାନୀ ଉଗ୍ରପନ୍ଥୀମାନେ କାନାଡା, ବ୍ରିଟେନ ଆଦି ରାଷ୍ଟ୍ରରେ କାୟାବିସ୍ତାର କରିଚାଲିଛନ୍ତି। ବ୍ରିଟେନ ସରକାରଙ୍କ ‘ଉଗ୍ରବାଦ ସମୀକ୍ଷା’ ଉପରେ ଲିକ୍ ହୋଇଥିବା ଏକ ରିପୋର୍ଟରେ ଭାରତୀୟ ଉପମହାଦେଶରୁ ଉତ୍ପନ୍ନ ଦୁଇ ପ୍ରକାର ଉଗ୍ରବାଦ ଉପରେ ଆଲୋକପାତ କରାଯାଇଛି: ଖଲିସ୍ତାନ ସମର୍ଥକ ଉଗ୍ରବାଦ ଏବଂ ହିନ୍ଦୁ ଜାତୀୟତାବାଦୀ ଉଗ୍ରବାଦ। ପ୍ରଥମ ଥର ପାଇଁ ଏଭଳି ସମୀକ୍ଷାରେ ହିନ୍ଦୁ ଜାତୀୟତାବାଦୀ ଉଗ୍ରବାଦ ବିଷୟରେ ଉଲ୍ଲେଖ କରି ବିଭ୍ରାନ୍ତି ସୃଷ୍ଟି କରିବାକୁ ପ୍ରୟାସ ହୋଇଥିବା ବେଳେ ଭାରତ ବିରୋଧୀ ଶକ୍ତିମାନଙ୍କୁ ସୁହାଇବା ଭଳି ଅନେକ ଗୋଷ୍ଠୀ କାମ କରୁଛନ୍ତି। ଏହାର ସୁଯୋଗ ନେଇ ଖଲିସ୍ତାନୀ ଉଗ୍ରବାଦୀମାନେ ସେମାନଙ୍କର ଭାରତ ବିରୋଧୀ ଏଜେଣ୍ଡା ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/07/pyZKdqjRd4F8TeFt04EF.jpg)