ଭାରତର ଭାବମୂର୍ତ୍ତି ନଷ୍ଟ କରିବାକୁ ପ୍ରୟାସ ଚାଲିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତର ବୈଶ୍ବିକ ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ପ୍ରୟାସ ଚାଲିଛି ବୋଲି ଆଜି ଭର୍ଚ୍ୟୁଆଲ୍‌ ଭାବେ ‘ଆଜାଦି କା ଅମ୍ରିତ୍‌ ମହୋତ୍ସବ’ ପ୍ରତି ନିବେଦିତ ‘ବ୍ରହ୍ମାକୁମାରୀ’ମାନେ ଆୟୋଜନ କରିଥିବା କାର୍ଯ୍ୟକ୍ରମ ‘ଆଜାଦି କେ ଅମ୍ରିତ୍‌ ମହୋତ୍ସବ୍‌ ସେ ସ୍ବର୍ଣ୍ଣିମ୍‌ ଭାରତ୍‌ କେ ଔର୍‌’ ଉଦ୍‌ଘାଟନ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ସତର୍କ କରାଇ ଦେଇଛନ୍ତି।

ଏହାକୁ ମାମୁଲି ରାଜନୀତି କହି ଏଡ଼ାଇ ଦେଇ ହେବ ନାହିଁ। ଏହା ଆମ ଦେଶର ସୁଖ୍ୟାତିର ପ୍ରସଙ୍ଗ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରି କହିଛନ୍ତି। ସେ କହିଛନ୍ତି ଯେ, ବ୍ରହ୍ମା କୁମାରୀ ଏବଂ ଅନ୍ୟ ଆନ୍ତର୍ଜାତିକ ସଙ୍ଗଠନ ସବୁ ଭାରତ ବିରୋଧୀ ପ୍ରଚାର ମୁକାବିଲା କରିବାକୁ ସମର୍ଥ। ସେ କହିଛନ୍ତି, ବିଭିନ୍ନ ରାଷ୍ଟ୍ରରେ ଲୋକମାନଙ୍କୁ ସଠିକ୍ ସୂଚନା ଦିଆଯାଉଛି ବୋଲି ଆପଣମାନେ ସୁନିଶ୍ଚିତ ହେବା ଉଚିତ। ଭାରତ ବିରୋଧରେ ପ୍ରଚାର ହେଉଥିବା ଗୁଜବ ବିରୋଧରେ ଲଢ଼ିବା ଦାୟିତ୍ବ ଆମ ସମସ୍ତଙ୍କ ଉପରେ ନ୍ୟସ୍ତ।

Image Courtesy of ANI

କିନ୍ତୁ, ସେ କ‌ୌଣସି ନିର୍ଦ୍ଦିଷ୍ଟ ଘଟଣା କଥା କହି ନାହାନ୍ତି। ଗତବର୍ଷ ଅକ୍ଟୋବର ୧୨ ତାରିଖ ଦିନ ‘ଜାତୀୟ ମାନବିକ ଅଧିକାର ଆୟୋଗ’ର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ବୋଧନ ଦେବା ବେଳେ ଏଭଳି କଥା କହିଥିଲେ। ଜନସାଧାରଣଙ୍କୁ ସେ କହିଥିଲେ, ମାନବ ଅଧିକାର ସଂକ୍ରାନ୍ତ ସମସ୍ୟା ଉତ୍ଥାପନ କରିବା ବେଳେ ବାଛବିଚାର କରନ୍ତୁ ନାହିଁ।

ଦୀର୍ଘ ୭ ବର୍ଷ ପାଇଁ ଯୋଜନା ଥିବା ବ୍ରହ୍ମା କୁମାରୀଙ୍କ ‘ଆଜାଦି କେ ଅମ୍ରିତ୍‌ ମହୋତ୍ସବ୍‌ ସେ ସ୍ବର୍ଣ୍ଣିମ୍‌ ଭାରତ୍‌ କେ ଔର୍‌’ ଉପକ୍ରମକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଛନ୍ତି। ଏହି ଅବସରରେ ସେ ‘ମାଇଁ ହେଲ୍‌ଦି ଇଣ୍ଡିଆ’, ‘ଆତ୍ମନିର୍ଭର୍‌ ଭାରତ୍‌: ସେଲ୍‌ଫ୍ ରିଲାଏଣ୍ଟ୍‌ ଫାର୍ମର୍ସ’, ‘ୱିମିନ୍‌: ଫ୍ଲାଗ୍‌ ବିୟରର୍ସ ଅଫ୍‌ ଇଣ୍ଡିଆ’, ‘ପାୱାର୍‌ଅଫ୍‌ ପିସ୍‌ ବସ୍‌ କ୍ୟାମ୍ପେନ୍‌’, ‘ଅନ୍ଦେଖା ଭାରତ ସାଇକେଲ୍‌ ରାଲି’ ‘ୟୁନାଇଟେଡ୍‌ ଇଣ୍ଡିଆ ମୋଟର୍‌ ବାଇକ୍‌ କ୍ୟାମ୍ପେନ୍‌’ ଏବଂ ‘ସ୍ବଚ୍ଛ ଭାରତ ଅଭିଯାନ’ ଅଧୀନସ୍ଥ ‘ଗ୍ରିନ୍‌ ଇନିସିଏଟିଭ୍‌’ ଯୋଜନାର ଶୁଭାରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର