ୟୁକ୍ରେନରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ପ୍ରୟାସ, ନିୟନ୍ତ୍ରଣ କକ୍ଷକୁ ଆସିଲାଣି ୫୫୦ରୁ ଊର୍ଦ୍ଧ୍ବ କଲ୍

ନୂଆଦିଲ୍ଲୀ : ୟୁକ୍ରେନରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବା ଦିଗରେ ଜୋରଦାର ପ୍ରୟାସ ଜାରିରହିଛି। ନୂଆଦିଲ୍ଲୀସ୍ଥିତ ଆବାସିକ କମିସନରଙ୍କ କାର୍ଯ୍ୟାଳୟରେ ଖୋଲାଯାଇଥିବା ୨୪ ଘଣ୍ଟିଆ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷକୁ ବର୍ତ୍ତମାନ ସୁଦ୍ଧା ୫୫୦ ରୁ ଊର୍ଦ୍ଧ୍ବ କଲ୍ ଆସିଛି। ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଅଟକି ରହିଥିବା ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଅବଗତ କରାଯିବା ସହ ଆବଶ୍ୟକ ପରାମର୍ଶ ଦିଆଯାଉଛି।

ଛାତ୍ରଛାତ୍ରୀଙ୍କ ଠାରୁ ହାସଲ କରାଯାଉଥିବା ସୂଚନା ଆଧାରରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିୟନ୍ତ୍ରଣ କକ୍ଷ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ତଥ୍ୟ ପ୍ରଦାନ କରାଯାଉଛି। ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିସନର ରବି କାନ୍ତ ନୋଡାଲ ଅଧିକାରୀ ଭାବେ କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ଓ ବିମାନ ଚଳାଚଳ ମନ୍ତ୍ରାଳୟ ସହିତ ଲଗାତାର ଯୋଗାଯୋଗରେ ରହିଛନ୍ତି। ସୂଚନା ଅନୁସାରେ ନୂଆଦିଲ୍ଲୀର ଆନ୍ତର୍ଜାତିକ ବିମାନ ବନ୍ଦରରେ ଆବାସିକ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାୟୀ ଭାବେ ଗୋଟିଏ ଟିମ୍‌କୁ ମୁତୟନ କରାଯାଇଛି। ୟୁକ୍ରେନରୁ ଭାରତକୁ ପ୍ରତ୍ୟାବର୍ତ୍ତନ କରୁଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ବିମାନ ବନ୍ଦରରୁ ଓଡ଼ିଶା ନିବାସ, ଓଡ଼ିଶା ଭବନ ଏବଂ ଓଡ଼ିଶା ସଦନକୁ ଅଣାଯାଇ ସେମାନଙ୍କ ରହିବା, ଖାଇବା ତଥା ସୁରକ୍ଷିତ ଭାବେ ନିଜ ଅଂଚଳକୁ ପଠାଇବା ପାଇଁ ବ୍ୟବସ୍ଥା କରାଯିବ। ଏ ବାବଦରେ ସରକାରଙ୍କ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର