ୱାସିଂଟନ: ବଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ) ଓ ମଜିଦ୍ ବ୍ରିଗେଡ୍‌କୁ ୱାସିଂଟନ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିବାର ଏକ ମାସ ପରେ ଜାତିସଂଘରେ ଉଭୟ ଗୋଷ୍ଠୀ ବିରୋଧରେ ‘ୟୁଏନ୍ ୧୨୬୭ ରିଜାଇମ୍’ ଅଧୀନରେ ପ୍ରତିବନ୍ଧକ ଲଗାଇବା ପାଇଁ ପାକିସ୍ତାନ-ଚୀନ୍‌ର ମିଳିତ ପ୍ରୟାସକୁ ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ ଅଟକାଇଛନ୍ତି। ଏହା ସପକ୍ଷରେ ଆମେରିକା ଓ ସହଯୋଗୀମାନେ ଉଲ୍ଲେଖ କରିଛନ୍ତି ଯେ, ଏହି ଗୋଷ୍ଠୀର ଅଲ୍‌କାଏଦା ବା ଆଇଏସ୍‌ଆଇଏଲ୍‌ ସହିତ ସଂପର୍କ ଥିବାର କୌଣସି ପ୍ରମାଣ ନାହିଁ।

Advertisment

‘ୟୁଏନ୍ ୧୨୬୭ ରିଜାଇମ୍’ ୧୯୯୯ର ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପନାମା-୧୨୬୭କୁ ବୁଝାଏ, ଯାହା ଅଲ୍‌-କାଏଦା, ତାଲିବାନ ଓ ଆଇଏସ୍‌ଆଇଏଲ୍‌ ସହ ଜଡିତ ବ୍ୟକ୍ତି କିମ୍ବା ସଂସ୍ଥା ଉପରେ ଭ୍ରମଣ ନିଷେଧାଦେଶ, ସମ୍ପତ୍ତି ଫ୍ରିଜ୍ ଓ ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକ ସମେତ କଟକଣା ଲଗାଇଥାଏ। ଏହା ପୂର୍ବରୁ ପାକିସ୍ତାନ ଓ ଚୀନ୍ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ବଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ) ଓ ଏହାର ମଜିଦ୍ ବ୍ରିଗେଡ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମିଳିତ ବିଡ୍ ଦାଖଲ କରିଥିଲେ। ବୁଧବାର ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ଅସିମ ଇଫତିଖାର ଅହମଦ ଉଲ୍ଲେଖ କରିଥିଲେ ଯେ, ଆଇଏସ୍‌ଆଇଏଲ୍‌-କେ, ଅଲ୍‌-କାଏଦା, ତେହେରିକ୍-ଏ-ତାଲିବାନ ପାକିସ୍ତାନ, ବିଏଲ୍‌ଏ ଓ ଏହାର ମଜିଦ୍ ବ୍ରିଗେଡ୍ ସମେତ ଆତଙ୍କବାଦୀ ଗୋଷ୍ଠୀ ଆଫଗାନିସ୍ତାନରୁ ସୀମାପାର ଆକ୍ରମଣ କରୁଛନ୍ତି। ଗତ ମାସରେ ବିଏଲ୍‌ଏ ଓ ମଜିଦ୍ ବ୍ରିଗେଡକୁ ଆମେରିକା ବିଦେଶୀ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା। ବିଏଲ୍‌ଏ ବର୍ଷ ବର୍ଷ ଧରି ଆମେରିକାର ସ୍କାନର୍‌ରେ ରହିଛି।  ୨୦୧୯ରେ ଏହାକୁ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଭାବରେ ନାମିତ ଗ୍ଲୋବାଲ୍ ଟେରରିଷ୍ଟ (ଏସ୍‌ଡିଜିଟି) ଭାବରେ ଘୋଷଣା କରାଯାଇଥିଲା।