ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମ ଲୋକପ୍ରିୟ ହେବା ପରେ ଟିଭିରେ ସିନେମା ଦେଖୁଥିବା ଦର୍ଶକଙ୍କ ସଂଖ୍ୟାରେ ହ୍ରାସ ଘଟୁଛି। ତାହାକୁ ନେଇ ପ୍ରସାରଣକାରୀମାନେ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ଚଢ଼ା ଦାମ୍‌ରେ ବଡ଼ ସିନେମା କିଣିବା ଲାଗି ସେମାନେ ଆଉ ସାହସ କରିପାରୁନାହାନ୍ତି। ଯେଉଁ ସିନେମା ହଲ୍‌ରେ ଫ୍ଲପ୍‌ ହେଉଛି ତାହାକୁ ଟିଭିରେ ବି ‌ବିଶେଷ କେହି ଦେଖୁନାହାନ୍ତି। ହଲ୍‌ରେ ବିପୁଳ ଦର୍ଶକ ଆଦୃତି ହାସଲ କରିଥିବା ବଡ଼ ସିନେମା ଯଥା କେଜିଏଫ୍ ୨ ଏବଂ ଆର୍‌ଆର୍‌ଆର୍‌ ଆଦି ଟିଭି ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଛନ୍ତି। ସେଥିପାଇଁ କମ ତାରକା ଥିବା ସିନେମାଗୁଡ଼ିକୁ ଅଳ୍ପ ଦାମ୍‌ରେ ଟିଭି ପ୍ରସାରଣ ଲାଗି ବିକ୍ରି ହେଉଛି। ବଡ଼ ବଡ଼ ସିନେମାକୁ କିଣିବା ଲାଗି ପ୍ରସାରଣକାରୀମାନେ ଆଗ୍ରହ ଦେଖାଉନାହାନ୍ତି। ଅଧା ଦାମ୍‌ରେ ମଧ୍ୟ ସେଗୁଡ଼ିକୁ କେହି କିଣିବାକୁ ଚାହୁନାହାନ୍ତି। ହଲ୍‌ରେ ଫ୍ଲପ୍‌ ହୋଇଥିବା ତାରକା ଖଚିତ ସିନେମା ‘୮୩’ ଓ ‘ଧାକଡ୍‌’କୁ ଟିଭି ପ୍ରସାରଣକାରୀମାନେ କିଣିବାକୁ ମନା କରିଦେଇଛନ୍ତି।

Advertisment

ବିଶେଷଜ୍ଞଙ୍କ ମତରେ ଗତ କିଛି ବର୍ଷ ଭିତରେ ସିନେମା ପ୍ରସାରଣ କରୁଥିବା ଟିଭି ଚ୍ୟାନେଲ୍‌ଗୁଡ଼ିକର ଦର୍ଶକ ଏବଂ ବିଜ୍ଞାପନ ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇଛି। କରୋନା ମହାମାରୀ ପୂର୍ବ ସମୟ ତୁଳନାରେ ବର୍ତ୍ତମାନର ସ୍ଥିତ ବହୁତ ଖରାପ ରହିଛି। ୨୦୨୩ରେ କିଛି ସିନେମାକୁ ଟିଭି ପ୍ରସାରଣକାରୀମାନେ କିଣିବାକୁ ଆଦୌ ଆଗ୍ରହ ଦେଖାଇବେ ନାହିଁ ବୋଲି ସେମାନେ କହିଛନ୍ତି। ଓଟିଟି ପ୍ଲାଟଫର୍ମରେ ଦର୍ଶକମାନେ ବିନା ବିଜ୍ଞାପନ ବିରତିରେ ନିଜ ପସନ୍ଦର ସମୟରେ ସିନେମାକୁ ଦେଖିପାରୁଛନ୍ତି। ଟିଭିରେ ସିନେମା ଦେଖିବା ତୁଳନାରେ ସେମାନେ ଓଟିଟିକୁ ଅଧିକ ପସନ୍ଦ କରୁଛନ୍ତି।

କିଛି ବର୍ଷ ପୂର୍ବରୁ ବଡ଼ ସିନେମାଗୁଡ଼ିକର ଟିଭି ରାଇଟ୍‌ସ ୫୦ କୋଟି ଟଙ୍କା ଭଳି ଚଢ଼ା ଦାମ୍‌ରେ ବିକ୍ରି ହେଉଥିଲା। ଏବେ ସେଭଳି ସିନେମାର ରାଇଟ୍‌କୁ ୨୫-୩୦ କୋଟି ଟଙ୍କାରେ କିଣିବା ଲାଗି ମଧ୍ୟ ପ୍ରସାରଣକାରୀମାନେ ରାଜି ହେଉନାହାନ୍ତି। ହଲ୍‌ରେ ସି‌ନେମା ରିଲିଜ୍‌ କରିବାକୁ ସାହସ ଜୁଟାଇପାରୁନଥିବା ନିର୍ମାତାମାନେ ତାହାକୁ ସିଧାସଳଖ ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ୍‌, ଜି୫, ସୋନିଲିଭ୍‌, ହଟ୍‌ଷ୍ଟାର୍‌ ସ୍ପେସିଆଲ୍‌ ଆଦିରେ ରିଲିଜ୍‌ କରାଉଛନ୍ତି। ଏକ ମାସ ପର୍ଯ୍ୟନ୍ତ ଟିଭି ରାଇଟ୍‌ସ ବିକ୍ରି ନକରିବାକୁ ଓଟିଟି ପ୍ଲାଟଫର୍ମଗୁଡ଼ିକ ଦାବି କରୁଛନ୍ତି। ମାସକ ଭିତରେ ସିନେମାକୁ ଅଧିକାଂଶ ଦର୍ଶକ ଦେଖିଦେଉଛନ୍ତି। ତେଣୁ ଟିଭିରେ ତାହା ପ୍ରସାରଣ ହେବା ପରେ ତାହାକୁ ଅଧିକାଂଶ ଗ୍ରାହକ ଆଉ ଦେଖିବାକୁ ଚାହୁନାହାନ୍ତି।