ଅଡିଓ କ୍ଲିପ୍‌ ଧରା ପକାଇଦେଲା ଜିନପିଙ୍ଗ୍‌ଙ୍କ ‘ମିସନ୍‌ ତାଇୱାନ୍’: ଯୁଦ୍ଧ ପାଇଁ ୧.୪୦ ଲକ୍ଷ ସୈନିକ ପ୍ରସ୍ତୁତ

ନୂଆଦିଲ୍ଲୀ: ତାଇୱାନ୍‌ ଉପରେ ଆକ୍ରମଣ କରି ଏହାକୁ ଦଖଲ କରିନେବା ପାଇଁ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ଯୋଜନା ଏବଂ ପ୍ରସ୍ତୁତି ପ୍ରଘଟ ହୋଇଯାଇଛି। ଜିନପିଙ୍ଗ୍‌ଙ୍କ ମିସନ୍‌ ତାଇୱାନ୍‌ ପ୍ରସଙ୍ଗରେ ଚୀନ୍‌ର ଜଣେ ଶୀର୍ଷ ସାମରିକ ଅଧିକାରୀଙ୍କ ଅଡିଓ କ୍ଲିପ୍‌ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଚୀନ୍‌ର ଜଣେ ମାନବ ଅଧିକାର କର୍ମୀ ଜେନିଫର ହେଙ୍ଗ୍‌ଙ୍କ ଦ୍ବାରା ଟ୍ବିଟ୍‌ ହୋଇଥିବା ଏହି ଭାଇରାଲ୍‌ ଅଡିଓ କ୍ଲିପ୍‌କୁ ନେଇ ଏବେ ବେଜିଂରେ ଜୋରଦାର ଚର୍ଚ୍ଚା ଚାଲିଛି। ୟୁଟ୍ୟୁବ ଚାନେଲ୍‌ ଲ୍ୟୁଡ୍‌ ମିଡିଆ ଦ୍ବାରା ଏହି ୫୭ ମିନିଟ୍‌ର ଲିକ୍‌ କ୍ଲିପ୍‌ ପୋଷ୍ଟ୍‌ ହୋଇଛି। ଚ୍ୟାନେଲ୍‌ର ଦାବି ଅନୁଯାୟୀ ଚୀନ୍‌ କମ୍ୟୁନିଷ୍ଟ୍‌ ପାର୍ଟିର ବରିଷ୍ଠ ଅଧିକାରୀଙ୍କ ଦ୍ବାରା ଏହି ରେକର୍ଡିଂ ପ୍ରଘଟ ହୋଇଛି। ତାଇୱାନ୍‌ ସଂକ୍ରାନ୍ତରେ ଜିନପିଙ୍ଗଙ୍କ ଯୋଜନା ବିଶ୍ବକୁ ଜଣାଇବା ପାଇଁ ସେ ଏହି ରେକର୍ଡିଂ ପ୍ରଘଟ କରିଛନ୍ତି। ଅଡିଓ କ୍ଲିପ୍‌ରେ ଚୀନ୍‌ କମ୍ୟୁନିଷ୍ଟ୍‌ ପାର୍ଟି (ସିପିସି) ଏବଂ ପିଏଲ୍‌ଏ ମଧ୍ୟରେ କଥାବାର୍ତ୍ତା ରହିଛି।

ଭାଇରାଲ୍‌ ହୋଇଥିବା ଏହି ଅଡିଓ ନେଇ ଚୀନ୍‌ର କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି। ଅଡିଓ କ୍ଲିପ୍‌ ଅନୁଯାୟୀ ତାଇୱାନ୍‌ ଯୁଦ୍ଧ ସଂକ୍ରାନ୍ତରେ ହୋଇଥିବା ବୈଠକରେ ଗୁଆଙ୍ଗଡଙ୍ଗ୍‌ର ଦଳୀୟ ସଚିବ, ଉପ ସଚିବ, ଗଭର୍ଣ୍ଣର ଏବଂ ଭାଇସ୍‌ ଗଭର୍ଣ୍ଣର ଉପସ୍ଥିତ ଥିଲେ। ପୂର୍ବ ଏବଂ ଦକ୍ଷିଣ ୱାରଜୋନ୍‌ ଦ୍ବାରା ଗୁଆଙ୍ଗଡଙ୍ଗ୍‌ ପ୍ରଦେଶକୁ ତାଇୱାନ ଆକ୍ରମଣ ସଂକ୍ରାନ୍ତ ସମସ୍ତ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି। ଏଥି ମଧ୍ୟରେ ୧.୪୦ ଲକ୍ଷ ସାମରିକ ସଦସ୍ୟ, ୯୫୩ ଜାହାଜ, ୧୬୫୩ ଡ୍ରୋନ୍‌, ୨୦ ବିମାନବନ୍ଦର , ୬ଟି ମରାମତି ଏବଂ ଜାହାଜ ନିର୍ମାଣ ଘର, ୧୪ଟି ଏମର୍ଜେନ୍ସି ଟ୍ରାନ୍ସଫର ସେଣ୍ଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ ୧୫,୫୦୦ ନୂଆ ସେନା ସଦସ୍ୟ ଏବଂ ଅବସରପ୍ରାପ୍ତ ସୈନିକଙ୍କୁ ନିଯୁକ୍ତି ଦେବାପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ କୁହାଯାଇଛି।

ସମ୍ବନ୍ଧିତ ଖବର