ଲୋକସଭା କାର୍ଯ୍ୟ ଆରମ୍ଭ ହେବାପରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ଅଡିଓ ମ୍ୟୁଟ୍‌: କଂଗ୍ରେସ

ଯାନ୍ତ୍ରିକ ତ୍ରୁଟି: ବିଜେପି

ନୂଆଦିଲ୍ଲୀ : ‌ଲୋକସଭାରେ ଶୁକ୍ରବାର ଦିନ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ଦଳ ନେତାମାନେ ଗୃହର ମଧ୍ୟଭାଗକୁ ଯାଇ ହୋହଲ୍ଲା ଆରମ୍ଭ କରିଦେଇଥିଲେ। ତେବେ କଂଗ୍ରେସ କହିଛି ଗୃହ କାର୍ଯ୍ୟ ଆରମ୍ଭ ହେବା ପରେପରେ ଗୃହରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ଅଡିଓ ମ୍ୟୁଟ୍‌ କରାଯାଇଥିଲା। ସରକାରଙ୍କ ବିରୋଧରେ ବିରୋଧୀ ସଦସ୍ୟଙ୍କ ସ୍ବରକୁ ନିରବ କରିବାପାଇଁ ଅଡିଓ ମ୍ୟୁଟ୍‌ କରାଯାଇଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସ ଏନେଇ ଟ୍ବିଟରରେ ଏକ କ୍ଲିପ୍‌ ମଧ୍ୟ ସେୟାର କରିଛି। ଏହି କ୍ଲିପ୍‌ରେ ଦେଖିବାକୁ ମିଳିଛି ବିରୋଧୀ ସାଂସଦମାନେ ବାଚସ୍ପତି ଓମ୍‌ ବିର୍ଲାଙ୍କ ଚେୟାର ନିକଟରେ ହୋହଲ୍ଲା କରିଥିଲେ। ଟ୍ରେଜରି ବେଞ୍ଚ୍‌ର ସମସ୍ତ ସଦସ୍ୟ ମଧ୍ୟ ରାହୁଲଙ୍କ କ୍ଷମା ଦାବି କରିଥିଲେ। କିନ୍ତୁ ପାଖାପାଖି ୨୦ ମିନିଟ୍‌ ପର୍ଯ୍ୟନ୍ତ କୌଣସି ଅଡିଓ ଆସିନଥିଲା। ଯେତେ‌ବେଳେ ବାଚସ୍ପତି କହିବା ଆରମ୍ଭ କଲେ ସେ ସମୟ‌ରେ ଅଡିଓ ‌ଆସିଥିଲା। ତେବେ ସରକାର କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ଅଡିଓ ମ୍ୟୁଟ୍ କରାଯାଇନି। ଏହା ଏକ ଯାନ୍ତ୍ରିକ ତ୍ରୁଟି। ପ୍ରତିଦିନ ବିରୋଧୀଙ୍କ ସ୍ଲୋଗାନ୍‌କୁ ଟେଲିକାଷ୍ଟ୍‌ କରାଯାଉଛି। ତେଣୁ ଆଜି ଅଡିଓ ମ୍ୟୁଟ୍‌ ‌ହେବା ଉଦ୍ଦେଶ୍ୟମୂଳକ ନୁହେଁ।

ସମ୍ବନ୍ଧିତ ଖବର