‘ହ୍ୟାଲୋ ଭାଉଜ, ପୁଲିସ ଆସିଲେ କଣ କହିବି’ ଭାଇରାଲ ହେଲା ଏହି ଅଡିଓ

କାନପୁର: ଉତ୍ତରପ୍ରଦେଶରେ ୮ ଜଣ ପୁଲିସଙ୍କୁ ହତ୍ୟା ମାମଲାରେ ସମ୍ପୃକ୍ତ ବିକାଶ ଦୁବେର ଏନକାଉଣ୍ଟରରେ ମୃତ୍ୟୁ ହୋଇଛି | ଆଉ ବିକାଶ ଦୁବେର ସହଯୋଗୀ ତଥା ୫୦ ହଜାର ଟଙ୍କାର ପୁରସ୍କାର ରାଶି ଥିବା ଶଶିକାନ୍ତଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ତେବେ ଗିରଫ ଅଭିଯୁକ୍ତ ଶଶିକାନ୍ତଙ୍କ ପତ୍ନୀଙ୍କ ଅଡିଓ କଲ୍ ଅନେକ କିଛି କଥା ପ୍ରକାଶ କରିଛି। ଏହା ବ୍ୟତୀତ ଅଭିଯୁକ୍ତ ଶଶିକାନ୍ତଙ୍କ ଘରୁ ଏକ ଇନସାସ ରାଇଫଲ ମଧ୍ୟ ଜବତ କରାଯାଇଛି। ପୁଲିସ କର୍ମୀଙ୍କୁ ହତ୍ୟା ପରେ ଶଶିକାନ୍ତଙ୍କ ପତ୍ନୀଙ୍କର ଏମିତି ଏକ ଅଡିଓ ଭାଇରାଲ ହୋଇଛି ଯାହାକି ପୁଲିସକୁ ବହୁତ କିଛି ସୁରାକ ଦେଇଛି | ଶଶିକାନ୍ତଙ୍କ ପତ୍ନୀ ଫୋନରେ କଥା ହୋଇ କହିଥିଲେ ଯେ ” ହ୍ୟାଲୋ ଭାଉଜ, ବାହାରେ ଦୁଇଜଣଙ୍କର ମୃତ ଦେହ ପଡିଛି | ମୋ ଘର ପ୍ରାଙ୍ଗଣରେ ଜଣେ ଲୋକର ମୃତ ଦେହ ପଡିଛି ଏବଂ ଅନ୍ୟମାନେ ପଳାୟନ କରିଛନ୍ତି। ପୁଲିସ ଆସିଲେ କଣ କହିବି ? ” ଫୋନ ସେପଟୁ ପ୍ରଶ୍ନ ପଚରାଯାଏ- ”ସେହି ଲୋକମାନେ କିଏ? ଶଶିଙ୍କ ପତ୍ନୀ କୁହନ୍ତି- ”ପୁଲିସ, ଯେଉଁମାନଙ୍କୁ ବିକାଶ ଭାଇ ହତ୍ୟା କରିଛନ୍ତି, ଶଶିଙ୍କ ପତ୍ନୀ ଆହୁରି ମଧ୍ୟ କହିଛନ୍ତି ଯେ ମୋବାଇଲ୍ ବନ୍ଦ କରି ଭାଇ ଲୁଚିଯାଇଛନ୍ତି । ଏହି ସମୟରେ, ଫୋନ ସେପଟୁ ସ୍ୱର ଶୁଣିବାକୁ ମିଳିଛି ଯେ -” ଏହି ନମ୍ବରଗୁଡିକ ଡିଲିଟ୍ କର | ତୁମେ ଜାଣି ନାହଁ … ଆଉ କେହି ପଚାରିଲେ କହିବ ଯେ ତୁମେ ଘର ଭିତରେ ଥିଲ, ଫୋନ୍ ବନ୍ଦ କରି ବ୍ୟାଟେରୀ କାଢିଦିଅ ”| ତେବେ ଶଶିକାନ୍ତଙ୍କ ପତ୍ନୀ କଥା ହେଉଥିବା ଏହି ତଥାକଥିତ ଭାଉଜ ବିକାଶର ପତ୍ନୀ ହୋଇଥିବା ସନ୍ଦେହ କରାଯାଉଛି |

ଏଠାରେ ସୂଚନା ଥାଉ କି ଉତ୍ତର ପ୍ରଦେଶରେ ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା କୁଖ୍ୟାତ ଡନ୍ ବିକାଶ ‌ଦୁବେକୁ ମଧ୍ୟ ପ୍ରଦେଶରେ ଗିରଫ କରାଯିବା ପରେ ଉଜ୍ଜୟିନୀରୁ କାନପୁର ନିଆଯାଉଥିଲା। ସ୍ବତନ୍ତ୍ର ପୋଲିସ ଟିମ୍ ବା ଏସ୍‌ଟିଏଫ୍ ତାକୁ ଆଣୁଥିବାବେଳେ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା। ଗାଡ଼ି ଓଲଟି ପଡ଼ିବା ମାତ୍ରେ ଦୁବେ ଜଣେ ପୁଲିସ କର୍ମୀଙ୍କ ପିସ୍ତଲ୍‌ ଛଡ଼ାଇ ଗୁଳି ଚଳାଇବା ସହ ଦୌଡ଼ିବା ଆରମ୍ଭ କରିଥିଲା।

ଦୁବେର ଗୁଳିମାଡ଼ରେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ଆଉ ୨ ଜଣ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଆତ୍ମରକ୍ଷା ପାଇଁ ସୁରକ୍ଷାକର୍ମୀ ଗୁଳି ଚାଳନା କରିଥିଲେ। ଦୁବେର ଛାତି, କାନ୍ଧ ଏବଂ ଅଣ୍ଟାରେ ୪ଟି ଗୁଳି ବାଜିଥିଲା ଏବଂ ସେ ଗୁରୁତର ଆହତ ହୋଇଥିଲା। ପୁଲିସ ବାହିନୀ ଦୁବେକୁ କାନପୁରର ହେଲଟ୍‌ ହସ୍ପିଟାଲ୍‌ ନେଇଥିଲେ। ଏବଂ ସେଠାରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର