ଆକଶରେ ବିରଳ ଦୃଶ୍ୟ: ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ବୃହସ୍ପତିଠାରୁ ଉଜ୍ୱଳ ଦିଶିବ ମଙ୍ଗଳ

ଭୁବନେଶ୍ୱର: ସୌର ଜଗତର ଚତୁର୍ଥ ଗ୍ରହ ‘ମଙ୍ଗଳ’ ସୂର୍ଯ୍ୟଠାରୁ ପ୍ରାୟ ୨୨.୮ କୋଟି କିମି ଦୂରରେ ରହି ଏହାକୁ ପ୍ରଦକ୍ଷିଣ କରିଥାଏ। ତେଣୁ ଖାଲି ଆଖିରେ ଏହା ଛୋଟ ଲାଲ ରଙ୍ଗର ତାରା ଭଳି ଦେଖାଯାଏ। ୨୦୧୮ ମସିହା ଜୁଲାଇ ୩୧ ତାରିଖରେ ମଙ୍ଗଳ ପୃଥିବୀର ସବୁଠାରୁ ନିକଟତର ହେବ। ଅଗଷ୍ଟ ମାସରେ ସବୁଦିନ ରାତିରେ ମଙ୍ଗଳ ଗ୍ରହଟି ସନ୍ଧ୍ୟା ସମୟରେ ପୂର୍ବ ଦିଗରେ ଉଦୟ ହୋଇ ଧୀରେଧୀରେ ଉପରକୁ ଉଠି ମଧ୍ୟରାତ୍ରି ବେଳକୁ ମୁଣ୍ଡ ଉପର ହୋଇ ପାହାନ୍ତିଆ ବେଳକୁ ପଶ୍ଚିମରେ ଅସ୍ତ ହେବ। ଆକାଶ ମେଘ ମୁକ୍ତ ରହିଲେ ମଙ୍ଗଳକୁ ଖାଲି ଆଖିରେ ଦେଖି ହେବ। ତେଣୁ ଆସନ୍ତା କାଲିଠାରୁ ଅର୍ଥାତ ଅଗଷ୍ଟ ୧ରୁ ୩୦ ପର୍ଯ୍ୟନ୍ତ ମଙ୍ଗଳ ବୃହସ୍ପତିଠାରୁ ଉଜ୍ଜ୍ୱଳ ଦେଖାଯିବ ଓ ରାତି ଆକାଶରେ ଚନ୍ଦ୍ର ଓ ଶୁକ୍ର ପରେ ଉଜ୍ଜ୍ୱଳତମ ପିଣ୍ଡ ଭାବରେ ଦେଖାଯିବ।

ତେବେ ମଙ୍ଗଳ ଚନ୍ଦ୍ରଠାରୁ ବଡ଼ ଦେଖାଯିବ ବୋଲି ସୋସିଆଲ ମଡିଆରେ ଯେଉଁ ଖବର ଘୁରି ବୁଲୁଛି ତାହା ସମ୍ପୂର୍ଣ୍ଣ ଭୁଲ ଅଟେ। ବାସ୍ତବରେ ମଙ୍ଗଳ ଏକ ଉଜ୍ୱଳ ଲାଲ ରଙ୍ଗ ତାରା ଭଳି ଦେଖାଯିବ।

ସୂଚନାଯୋଗ୍ୟ, ପୃଥିବୀ ତୁଳନାରେ ମଙ୍ଗଳ ସୂର୍ଯ୍ୟଠାରୁ ଅଧିକ ଦୂରରେ ରହି ତାହାକୁ ପ୍ରଦକ୍ଷିଣ କରୁଛି। ସୂର୍ଯ୍ୟର ନିକଟରେ ଥିବାରୁ ପୃଥିବୀ କମ୍‌ ସମୟରେ ଥରେ ସୂର୍ଯ୍ୟ ଚାରିପଟେ ବୁଲି ଆସୁଥିବାବେଳେ ମଙ୍ଗଳ ଅଧିକ ସମୟ ନେଇଥାଏ। ପୃଥିବୀର ଗୋଟିଏ ବର୍ଷର ଲମ୍ବ ୩୬୫ ହୋଇଥିବା ବେଳେ ମଙ୍ଗଳର ବର୍ଷ ପ୍ରାୟ ୬୮୭ ପୃଥିବୀ ଦିସବ। ଅର୍ଥାତ ପୃଥିବୀ ଦୁଇଥର ସୂର୍ଯ୍ୟ ଚାରିପଟେ ବୁଲି ସାରିବା ବେଳକୁ ମଙ୍ଗଳ ମାତ୍ର ଥରେ ବୁଲିଥାଏ। ତେଣୁ ବେଳେବେଳେ ମଙ୍ଗଳ ଓ ପୃଥିବୀ ମଧ୍ୟରେ ଦୂରତା ଖୁବ୍‌ ଅଧିକ ଥାଏ ତ କେତେବେଳେ ଏହା ବହୁତ କମିଯାଏ।

ପ୍ରାୟ ୭୮୦ ଦିନ ବା ଦୁଇବର୍ଷରୁ ସାମାନ୍ୟ ଅଧିକ ସମୟରେ ଥରେ ପୃଥିବୀ ମଙ୍ଗଳ ଗ୍ରହକୁ ଅତିକ୍ରମ କରିଥାଏ ଓ ସେହି ସମୟରେ ଗ୍ରହ ଦୁଇଟି ନିକଟତର ହୋଇଥାଆନ୍ତି। କିନ୍ତୁ ପ୍ରତି ୧୫ରୁ ୧୭ବର୍ଷରେ ଥରେ ଗ୍ରହ ଦୁଇଟି ଖୁବ୍‌ ନିକଟକୁ ଆସି ଥାଆନ୍ତି। ୨୦୦୩ ମସିହା ପରେ ବର୍ତ୍ତମାନ ଗ୍ରହ ଦୁଇଟି ମଧ୍ୟରେ ଥିବା ଦୂରତା ଧୀରେଧୀରେ କମିବାରେ ଲାଗିଛି ଓ ଜୁଲାଇ ୩୧ ତାରି ଦିନ ଗ୍ରହ ଦୁଇଟି ମଧ୍ୟରେ ଥିବା ଦୂରତା ସବୁଠାରୁ କମ୍‌ ହେବ। ସେହିପରି ଗ୍ରହ ଦୁଇଟି ଆସନ୍ତା ୨୦୨୦ମସିହା ଅକ୍ଟୋବର ୩ ତାରିଖ ଓ ପୁଣି ଦୁଇ ପରେ ଅର୍ଥାତ୍‌ ୨୦୨୨ ମସିହା ଡିସେମ୍ବର ୧ ତାରିଖ ଦିନ ଖୁବ୍‌ ନିକଟରେ ରହିବ।

ସମ୍ବନ୍ଧିତ ଖବର