ନୂଆଦିଲ୍ଲୀ: ୩୬୦୦ କୋଟି ଟଙ୍କାର ଅଗସ୍ତା ୱେଷ୍ଟଲାଣ୍ଡ ହେଲିକପ୍ଟର କ୍ରୟ ଚୁକ୍ତିକୁ ସଫଳ କରିବା ପାଇଁ ୫୪ ନିୟୁତ ପାଉଣ୍ଡ ବା ପାଖାପାଖି ୪୩୨ କୋଟି ଟଙ୍କା ଲାଞ୍ଚ ମିଳିଥିଲା। ମଧ୍ୟସ୍ଥି ଖ୍ରୀଷ୍ଟିଆନ୍ ମିସେଲ୍ ଏବଂ ଅନ୍ୟ ମଧ୍ୟସ୍ଥିମାନଙ୍କୁ ଏହି ଅର୍ଥ ଦିଆଯାଇଥିଲା। ଏହାକୁ ସେମାନେ ଭାରତର ବିଭିନ୍ନ ନେତା ଓ ଅଧିକାରୀଙ୍କୁ ଦେଇ ଚୁକ୍ତିକୁ ବାସ୍ତବ ରୂପ ଦେବେ ବୋଲି କୁହାଯାଇଥିଲା। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏଭଳି ଦାବି କରିବା ସହ ଏହାକୁ ପ୍ରମାଣ କରିବା ପାଇଁ ଆବଶ୍ୟକ ଦସ୍ତାବିଜ ମଧ୍ୟ ରହିଛି ବୋଲି ଏହା ପକ୍ଷରୁ କୁହାଯାଇଛି। ସିବିଆଇ କହିଛି ଯେ କମ୍ପାନି ପକ୍ଷରୁ ମୋଟ ୫୮ ନିୟୁତ ପାଉଣ୍ଡ ଲାଞ୍ଚ ଆକାରରେ ଦିଆଯାଇଥିଲା। ଏହା ମଧ୍ୟରୁ ୫୪ ନିୟୁତ ପାଉଣ୍ଡ ଭାରତୀୟଙ୍କୁ ଦେବା ପାଇଁ ନିର୍ଦ୍ଦେଶ ରହିଥିଲା।
ସୂତ୍ର ମୁତାବକ, ମଧ୍ୟସ୍ଥି ମିସେଲ୍ ଏବଂ ଗୁଇଡୋ ହାସ୍କେ ୨୦୧୧ ମେ ୮ ତାରିଖରେ ଦୁବାଇରେ ଯେଉଁ ରାଜିନାମା ତିଆରି କରିଥିଲେ, ସେଥିରେ ୫୮ ନିୟୁତ ପାଉଣ୍ଡ କଥା ଦର୍ଶାଯାଇଥିଲା। ଉଭୟ ପକ୍ଷର ମଧ୍ୟସ୍ଥିଙ୍କ ମଧ୍ୟରେ ଏହି ବୈଠକ ବସିବା ସହ ଲାଞ୍ଚ ଅର୍ଥ ଭାଗବଣ୍ଟା ନେଇ ଆଲୋଚନା ହୋଇଥିଲା। ଏଥିପାଇଁ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇଥିଲା। ଗୋଟିଏ ପଟେ ବ୍ରିଟିସ୍ ବ୍ୟବସାୟୀ ତଥା ଅଗଷ୍ଟା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କ୍ରୟ ଚୁକ୍ତିର ମୁଖ୍ୟ ମଧ୍ୟସ୍ଥି ମିସେଲ୍ ଥିଲେ ଏବଂ ଅପରପକ୍ଷରେ ହାସ୍କେ, କାର୍ଲୋ ଗେରୋସା ଏବଂ ତ୍ୟାଗୀ ଭ୍ରାତା ରହିଥିଲେ। ବୈଠକ ପୂର୍ବରୁ ଦୁଇ ପକ୍ଷର ମଧ୍ୟସ୍ଥିଙ୍କ ମଧ୍ୟରେ ଲାଞ୍ଚ ଟଙ୍କା ଭାଗବଣ୍ଟା ନେଇ କଥା ଛିଡ଼ି ନଥିଲା। ମିସେଲ୍ ନିଜ ପାଖରେ ୪୨ ନିୟୁତ ପାଉଣ୍ଡ ରଖିବେ ବୋଲି କହିବାରୁ ହାସ୍କେ ଏହାକୁ ନେଇ ଖୁସି ନଥିଲେ। ମିସେଲ୍ ପ୍ରକୃତରେ ୩୦ ନିୟୁତ ପାଉଣ୍ଡ ପାଇବେ ବୋଲି ଉପରୁ ନିର୍ଦ୍ଦେଶ ଆସିଥିଲା। କିନ୍ତୁ ସେ ଆଉ ୧୨ ନିୟୁତ ପାଉଣ୍ଡ ଦାବି କରିଥିଲେ। ପରେ ବୈଠକରେ ବୁଝାମଣା ହେବାରୁ ମିସେଲ୍ ୩୦ ନିୟୁତ ପାଉଣ୍ଡ ଏବଂ ହାସ୍କେ ଓ ଅନ୍ୟମାନେ ୨୮ ନିୟୁତ ପାଉଣ୍ଡ ନେବେ ବୋଲି ନିର୍ଦ୍ଧାରିତ ହୋଇଥିଲା। ଅନ୍ୟପକ୍ଷରେ ପୂର୍ବତନ ବାୟୁସେନା ମୁଖ୍ୟ ଏସ୍ ପି ତ୍ୟାଗୀ ଓ ତାଙ୍କ ପରିବାରକୁ ୧୦.୫ ନିୟୁତ ପାଉଣ୍ଡ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ତ୍ୟାଗୀଙ୍କ ସମେତ ତାଙ୍କ ପରିବାର ସଦସ୍ୟ ସନ୍ଦୀପ, ସଞ୍ଜୀବ ଓ ରାଜୀବଙ୍କୁ ଏହି ଅର୍ଥ ମିଳିବ ବୋଲି କୁହାଯାଇଥିଲା। ପୂର୍ବତନ ବାୟୁସେନା ମୁଖ୍ୟ ତ୍ୟାଗୀ ହରିୟାଣାରେ ନିଜ ପରିବାର ଲୋକଙ୍କ ନାମରେ ୧୯ ଏକର ଜମି କିଣିଥିବା ସିବିଆଇ କହିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp