ଔରଙ୍ଗବାଦ ହିଂସା ପୂର୍ବ ପ୍ରାୟୋଜିତ: ଶିବସେନା

ଔରଙ୍ଗାବାଦ: ମହାରାଷ୍ଟ୍ରର ଔରଙ୍ଗବାଦରେ ଶୁକ୍ରବାର ରାତିରେ ପାଣିକୁ ନେଇ ହୋଇଥିବା ସାମ୍ପ୍ରଦାୟିକ ହିଂସା ପୂର୍ବ ପ୍ରାୟୋଜିତ ଥିଲା ଓ ଏଥିରେ ପୁଲିସ ମଧ୍ୟ ସାମିଲ ଥିଲା ବୋଲି ଅଭିଯୋଗ ହୋଇଛି। ତେବେ ଏହି ଘଟଣାରେ ପୁଲିସର ସମ୍ପୃକ୍ତି ଜଣାପଡ଼ିବା ପରେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଭିଯୋଗକୁ ଗୁରୁତ୍ୱର ସହ ନିଆଯାଇଥିବା ବେଳେ କୌଣସି ଅଭିଯୁକ୍ତ ଆଇନ ଆଖିରୁ ଖସିଯାଇପାରିବେ ନାହିଁ ବୋଲି ଔରଙ୍ଗାବାଦ ପୁଲିସ ମୁଖ୍ୟ କହିଛନ୍ତି। ଘଟଣା ସମୟର ଏକ ଭିଡିଓ ଆଜି ଭାଇରାଲ ହୋଇଥିବା ବେଳେ ଏଥିରୁ ପୁଲିସର ସମ୍ପୃକ୍ତି ସ୍ପଷ୍ଟ ହୋଇଥିବା ଶିବସେନା କହିଛି। ୯ ମିନିଟର ଏହି ଭାଇରାଲ ଭିଡ଼ିଓରେ ହିଂସାକାରୀଙ୍କ ମଧ୍ୟରେ ପୁଲିସ ଉପସ୍ଥିିତ ଥିବା ବେଳେ କିଭଳି ଭାବେ ଦୋକାନ ବଜାର ପୋଡ଼ାଜଳା କରାଯାଉଛି ତାହା ଦେଖିବାକୁ ମିଳିଛି। ସହରରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଥିବାରୁ ଏହି ଭିଡିଓ ଦୀର୍ଘ ୨ ଦିନ ହେବ ବାହାରକୁ ଆସିପାରି ନଥିଲା। ଭିଡିଓରେ ସ୍ପଷ୍ଟଭାବେ ଦେଖାଯାଉଛି ଯେ, କିଭଳି ଭାବେ ହିଂସାକାରୀମାନେ ଲୋକଙ୍କ ଧନ ସମ୍ପତ୍ତି ନଷ୍ଟ କରୁଛନ୍ତି ଓ ଅନ୍ୟ ଉପରେ ଆକ୍ରମଣ କରୁଛନ୍ତି।

ସମ୍ବନ୍ଧିତ ଖବର