ନୂଆଦିଲ୍ଲୀ: କରତାରପୁର କରିଡର ପାକିସ୍ତାନ ସେନାମୁଖ୍ୟ ଜେନେରାଲ କମର ଜାଭେଦ୍ ବଜ୍ୱାଙ୍କ ଦ୍ବାରା ଭାରତ ବିରୋଧରେ ଏକ ଅତ୍ୟନ୍ତ ଯୋଜନାବଦ୍ଧ ପ୍ରୟାସ । ଏଥି ଯୋଗୁଁ ଭାରତକୁ ଆଗାମୀ ଦିନରେ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ପାକିସ୍ତାନ ରେଳ ମନ୍ତ୍ରୀ ଶେଖ୍ ରସିଦ୍ଙ୍କ ବୟାନ ଏବେ ଆଲୋଡ଼ନ ସୃଷ୍ଟି କରିଛି। କରତାରପୁର କରିଡର ମାଧ୍ୟମରେ ଭାରତକୁ ଆତଙ୍କବାଦୀ ଚାଲାଣଠାରୁ ଆରମ୍ଭ କରି ଅନେକ କାର୍ଯ୍ୟ ସାଧନ କରାଯିବ ବୋଲି ପାକିସ୍ତାନ ମନ୍ତ୍ରୀ ପରୋକ୍ଷରେ ସୂଚାଇଥିବାରୁ ଦୁଇ ଦେଶ ମଧ୍ୟରେ ସଂପର୍କ ଆହୁରି ତିକ୍ତ ହୋଇଉଠିଛି। ଆଜି ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ଦିଲ୍ଲୀ ଗୁରୁଦ୍ବାରା ପ୍ରବନ୍ଧକ କମିଟିର ଅଧ୍ୟକ୍ଷ ମନ୍ଜିନ୍ଦିର ସିଂହ ସିର୍ସା ଏ ବାବଦରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି।
ଅମରିନ୍ଦର କହିଛନ୍ତି ଆମେ ପାକିସ୍ତାନର ସବୁ ଚାଲ୍କୁ ପଣ୍ଡ କରିଦେବୁ ଏବଂ କର୍ତାରପୁର କରିଡରକୁ ଭାରତ ବିରୋଧରେ ଏକ ଅସ୍ତ୍ର ଭଳି ବ୍ୟବହାର କରିବାକୁ ପାକିସ୍ତାନକୁ ସୁଯୋଗ ଦେବୁନାହିଁ। ପାକିସ୍ତାନର ପ୍ରତ୍ୟେକଟି ଷଡ଼ଯନ୍ତ୍ରକୁ ବିଫଳ କରିବା ଶକ୍ତି ଭାରତର ରହିଛି ବୋଲି ସେ କହିଛନ୍ତି। ଇମ୍ରାନ୍ ଖାନ୍ଙ୍କ ମନ୍ତ୍ରୀ ଶେଖ୍ ରସିଦ୍ କର୍ତାରପୁର କରିଡର ନେଇ ବଜୱାଙ୍କ ଷଡ଼ଯନ୍ତ୍ର ଏବଂ ପାକିସ୍ତାନର ଅସଲ ଚେହେରାକୁ ସାମ୍ନାକୁ ଆଣିଛନ୍ତି। କରତାରପୁର ମାଧ୍ୟମରେ ଭାରତ ଶାନ୍ତିର ରାସ୍ତା ଖୋଜୁଥିବା ବେଳେ ପାକିସ୍ତାନ ଭାରତ ବିରୋଧରେ ଏହାକୁ ବ୍ୟବହାର କରିବାକୁ ଯୋଜନା କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଅମରିନ୍ଦର କହିଛନ୍ତି। ପାକିସ୍ତାନ ଆତଙ୍କବାଦୀ ଚାଲାଣ ଏବଂ ପଂଜାବରେ ଅସ୍ଥିରତା ସୃଷ୍ଟି ପାଇଁ ଷଡ଼ଯନ୍ତ୍ର କଲେ ଭୟାନକ ପରିଣାମ ଭୋଗିବ ବୋଲି ସେ କହିଛନ୍ତି। କରତାରପୁର କରିଡର ଦ୍ବାରା ଭାରତୀୟ ତୀର୍ଥଯାତ୍ରୀଙ୍କଠାରୁ ବିପୁଳ ଅର୍ଥ ଆଦାୟ କରି ପାକିସ୍ତାନ ଗୋଟିଏ ପଟେ ମାଲାମାଲ ହେଉଥିବା ବେଳେ ଅନ୍ୟପଟେ ଭାରତ ବିରୋଧରେ ହିଂସା ସୃଷ୍ଟି ପାଇଁ ଏହି କରିଡରକୁ ବ୍ୟବହାର କରିବାକୁ ଷଡ଼ଯନ୍ତ୍ର କରୁଥିବାରୁ ଆଗାମୀ ଦିନରେ ଏହା ଜଟିଳ ସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି।