ଭାରତ-ଚୀନ ବିବାଦ : ଭାରତକୁ ଅଷ୍ଟ୍ରେଲିଆର ସମର୍ଥନ

ନୂଆଦିଲ୍ଲୀ : ଚୀନ ଓ ଭାରତ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଅଷ୍ଟ୍ରେଲିଆ ଭାରତକୁ ସମର୍ଥନ କରିଛି । ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆର ଉଚ୍ଚାୟୁକ୍ତ ବେରି ଓ’ ଫେରାଲ କହିଛନ୍ତି ଯେ ଏକତରଫାଭାବେ ସୀମାର ସ୍ଥିତାବସ୍ଥାକୁ ବଦଳାଇବାକୁ ଅଷ୍ଟ୍ରେଲିଆ ବିରୋଧ କରେ । ଏପରି ଉଦ୍ୟମ ଦ୍ୱାରା ଉତ୍ତେଜନା ବଢିବ । ଚୀନକୁ ଲକ୍ଷ୍ୟ କରି ସେ ଏକଥା କହିଥିଲେ । ଦ୍ୱିପାକ୍ଷିକ ଆଲୋଚନା ଓ ପୂର୍ବରୁ ଥିବା ରାଜିନାମାକୁ ସମ୍ମାନ ଜଣାଇ ଉତ୍ତେଜନାକୁ ହ୍ରାସ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି ।

କରୋନା ମହାମାରୀକୁ ନେଇ ଅଷ୍ଟ୍ରେଲିଆ ଓ ଚୀନ ମଧ୍ୟ ଗତ କିଛି ମାସ ହେଲା ବିବାଦ ଜାରି ରହିଛି । ଚୀନର ହ୍ୟାକରମାନେ ଅଷ୍ଟ୍ରେଲିଆ ଉପରେ ସାଇବର ଆକ୍ରମଣ କରିବା ପରେ ଦୁଇ ଦେଶର ସମ୍ପର୍କ ବିଗିଡ଼ିଯାଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ମାଲାବାର ସମରାଭ୍ୟାସରେ ସାମିଲ ପାଇଁ ଅଷ୍ଟ୍ରେଲିଆକୁ ଆମନ୍ତ୍ରଣ କରିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ ଗତ ଜୁନ ୧୫ ତାରିଖ ରାତିରେ ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଯୋଗୁଁ ଭାରତର ୨୦ ସୈନ୍ୟ ସହିଦ ହୋଇଥିଲେ । ତେବେ ନିଜର ସୈନ୍ୟ ନିହତ ହୋଇଥିଲେ ମଧ୍ୟ ଚୀନ ଏପର୍ଯ୍ୟନ୍ତ ସେହି ସଂଖ୍ୟା ପ୍ରକାଶ କରିନାହିଁ । ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନ ସେନା ଲଦାଖର କେତେକ ଅଞ୍ଚଳରେ ପ୍ରାୟ ୩୦ ହଜାର ଯବାନ ମୁତୟନ କରିଛି । ଏହା ସହିତ ଅସ୍ତ୍ରଶସ୍ତ୍ର ମୁତୟନ କରିଛି । ଏହାର ଜବାବରେ ଭାରତ ମଧ୍ୟ ପ୍ରାୟ ୩୫ ହଜାର ସେନା ମୁତୟନ କରିଛି ଓ ଅତିରିକ୍ତ ସେନା ପଠାଉଛି ।

ସମ୍ବନ୍ଧିତ ଖବର