ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ମାନସିକ ସୁସ୍ଥତା ଉପରେ ଅନ୍ତର୍ଜାତୀୟ ଆଲୋଚନାଚକ୍ର

କାନବେରା: ଅଷ୍ଟ୍ରେଲିଆ ଓଡ଼ିଆ ସମାଜ (ଓରିଓଜ ଇଙ୍କ୍) ଦ୍ଵାରା ଆୟୋଜିତ ” ମାନସିକ ସୁସ୍ଥତା ପ୍ରତିଷ୍ଠା ” ଶୀର୍ଷକ ଆନ୍ତର୍ଜାତିକ ଆଭାସି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟବକ୍ତା ଭାବରେ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ମୁକୁନ୍ଦାନନ୍ଦ ଯୋଗ ଦେଇ ମନର ମନସ୍ତାତ୍ତ୍ୱିକ ସତେଜତାର ବିଭିନ୍ନ ଦିଗ ଉପରେ ବିଶଦ ଭାବେ ଆଲୋକପାତ କରିଥିଲେ। ଏହି ୱେବିନାରରେ ଅଷ୍ଟ୍ରେଲିଆର ସମସ୍ତ ପ୍ରଦେଶର ଓରିଓଜ ସଦସ୍ୟଗଣ, ବିଶ୍ଵର ବିଭିନ୍ନ ପ୍ରାନ୍ତରୁ ପ୍ରବାସୀ ଓଡ଼ିଆ ନେତୃବୃନ୍ଦ, ୱାର୍ଲଡ ଓଡ଼ିଶା ସୋସାଇଟିର ସଦସ୍ୟ ଏବଂ ମାନ୍ୟଗଣ୍ୟ ପ୍ରବାସୀ ଭାରତୀୟଯୋଗ ଦେଇଥିଲେ। ବିକାରଗ୍ରସ୍ତ ମସ୍ତିଷ୍କକୁ ଠିକ୍ କରିବା ଉଦ୍ଦେଶ୍ୟରେ ସ୍ୱାମୀଜୀ ସକାରାତ୍ମକ ବିଚାର ଉଦ୍ରେକ ପାଇଁ ତିନିଟି ନିଦାନ ସୁପାରିଶ କରିଥିଲେ। ପ୍ରଥମରେ ନକାରାତ୍ମକ ଚିନ୍ତାଧାରାକୁ ପ୍ରଶୟ ନଦେଇ ଏହାଠାରୁ ଦୂରତ୍ଵ ଅବଲମ୍ବନ କରିବା, ଦ୍ଵିତୀୟରେ ଯେତେଦୂର ସମ୍ଭବ ମନରୁ ନିରାଶାବାଦକୁ ଦୂର କରି ଏହାର ବିକଳ୍ପ ପନ୍ଥା ଅନୁସରଣ ଓ ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଥିଲେ।

ଶେଷରେ ମନ ମଧ୍ୟକୁ କ୍ରମାଗତ ଭାବେ ବାରମ୍ବାର ସକାରାତ୍ମକ ଚିନ୍ତାମାନଙ୍କୁ ଆଣି ବିଷାଦଗ୍ରସ୍ତ ଭାବନାରେ ସମ୍ପୂର୍ଣ୍ଣ ଭାବେ ପୂର୍ଣ୍ଣଛେଦ ପଡ଼ି ମନ ପ୍ରସନ୍ନ ହେବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟାକୁ ଜାରି ରଖିବାକୁ ସ୍ୱାମୀଜୀ ଉପଦେଶ ଦେଇଥିଲେ। ମାନସିକ ସୁସ୍ଥତାର ବିକାଶ ସକାଶେ ଆଧ୍ୟାତ୍ମିକ ଓ ଯୋଗ ବିଜ୍ଞାନର ଆଶ୍ରୟ ନେବାକୁ ସେ କହିଥିଲେ। ଚିରନ୍ତନ ଶାନ୍ତି ଏବଂ ଶାଶ୍ଵତ ସନ୍ତୁଷ୍ଟି ହାସଲ କରିବା ପାଇଁ ପାରିପାର୍ଶ୍ବିକ ବାହ୍ୟ ପରିବେଶ ଓ ତତ୍କାଳୀକ ପରିସ୍ଥିତିର ପ୍ରଭାବରୁ ଊର୍ଦ୍ଧ୍ବରେ ରହି ନିଜର ଅନ୍ତର୍ନହିତ ବୌଦ୍ଧିକତା ଏବଂ ଆତ୍ମାଗତ ବିଚାରଶକ୍ତି ଜାଗ୍ରତ କରି ମନକୁ ନିୟନ୍ତ୍ରଣ କରିବାକୁ ସ୍ୱାମୀଜୀ ଆହ୍ବାନ ଜଣାଇଥିଲେ। ପ୍ରାରମ୍ଭରେ ସ୍ବାଗତ ଭାଷଣ ପ୍ରଦାନ କରି ଓରିଓଜର ସଭାପତି ଡଃ ନଳିନୀ ପତି ସମସ୍ତ ସଂଗଠକ, ଓରିଓଜର ସଦସ୍ୟଗଣ ଏବଂ ଅନ୍ୟ ସଂଗଠନ ମାନଙ୍କର ପ୍ରତିନିଧିଙ୍କୁ ସେମାନଙ୍କର ସାହାଯ୍ୟ ଓ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ କାନବେରାସ୍ଥିତ ଜଗନ୍ନାଥ ମନ୍ଦିରର ସମ୍ପାଦକ ଓ ଲିଭିଂ ବ୍ଲିସ୍ ସଂସ୍ଥାର ସଂସ୍ଥାପକ ତରୁଣ ଅଗସ୍ତି ଶାନ୍ତି ପାଠ କରିଥିଲେ। ଅଗସ୍ତି ସ୍ବାମୀ ମୁକୁନ୍ଦାନନ୍ଦଙ୍କର ଆଧ୍ୟାତ୍ମିକ ଉତ୍କୃଷ୍ଟତାର ଭୂରିଭୂରି ପ୍ରଶଂସା କରିଥିଲେ। ମାନସିକ ବିକାରର ଉତ୍ପତ୍ତି ଏବଂ ସମଗ୍ର ଶରୀର ଉପରେ ଏହାର ଘୋର କୁପ୍ରଭାବ ସମ୍ପର୍କରେ ଡଃ ପତି ଟିକିନିଖି ଭାବେ ଆଲୋଚନା କରିଥିଲେ।

ବିଶେଷକରି କୋଭିଡର ପରବର୍ତ୍ତୀ ପର୍ଯ୍ୟାୟରେ ଏହି ବିପଦଜନକ ବେମାରୀର ଭୟାବହତା ଏବଂ ଏଥିରୁ ନିଷ୍କୃତି ପାଇବାର ଉପାୟ ଉପରେ ସେ ଦୃଷ୍ଟିପାତ କରିଥିଲେ। ଡଃ ପତିଙ୍କ ଭାଷାରେ, ମଣିଷ ଶରୀର ମାନସିକ ଚାପକୁ ସ୍ୱଳ୍ପକାଳ ପାଇଁ ବରଦାସ୍ତ କରିପାରିଥାଏ। ସୁତରାଂ ମସ୍ତିଷ୍କଗତ ସ୍ଵାସ୍ଥ୍ୟବସ୍ଥାକୁ ଉତ୍ତମ ଭାବରେ ପରିଚାଳନା କରି ଉନ୍ନତମାନର ମାନସିକ ସୁସ୍ଥତା ହାସଲ କରାଯାଇ ପାରିଲେ ଶରୀରରେ ଉତ୍ପାଦକ ଶକ୍ତି ବୃଦ୍ଧି ପାଇବା ସହିତ ମଣିଷର ଆଭିମୁଖ୍ୟ ଶାଣିତ ଏବଂ ସବୁସ୍ତରରେ ପ୍ରଦର୍ଶନ ଉଚ୍ଚକୋଟୀର ଗୁଣବତ୍ତା ସମ୍ପନ୍ନ ହେବା ନିଧାର୍ଯ୍ୟ ବୋଲି ଡଃ ପତି ସୂଚାଇ ଥିଲେ।ରାଉରକେଲା ସ୍ଥିତ ଇ.ଏସ.ଆଇ ଡାକ୍ତରଖାନାର ମୁଖ୍ୟ ଡଃ ଅର୍ଚ୍ଚନା ବାରିକ ସମଗ୍ର ଡିଜିଟାଲ ମଞ୍ଚକୁ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ। ଉପସ୍ଥିତ ବରେଣ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବାଦଲ ପାଢ଼ୀ, ତାପସ ସେନାପତି, ବିଘ୍ନରାଜ ମହାନ୍ତି ଏବଂ ପ୍ରିତିଶ ରଂଜନ ଦାଶ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ସମ୍ବନ୍ଧିତ ଖବର