ଅଷ୍ଟ୍ରେଲିଆ ତଟରେ ୧୫୦ ମୃତ ତିମି

ପର୍ଥ(ଅଷ୍ଟ୍ରେଲିଆ): ପଶ୍ଚିମ ଅଷ୍ଟ୍ରେଲିଆର ସମୁଦ୍ରତଟରେ ଗତକାଲି ୧୫୦ରୁ ଊର୍ଦ୍ଧ୍ୱ ତିମିଙ୍କ ମୃତଦେହ ଲାଗିଥିବା ଦେଖିବାକୁ ମିଳିଛି। କୂଳକୁ ଭାସି ଆସିଥିବା ଶହଶହ ତିମିଙ୍କ ମଧ୍ୟରୁ ମାତ୍ର ୧୫-୨୦ଟିକୁ ସ୍ଥାନୀୟ ଲୋକେ ବଞ୍ଚାଇପାରିଛନ୍ତି। ତେବେ ଏତେ ସଂଖ୍ୟକ ତିମିଙ୍କ ଏପରି ଗଣମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ। ପ୍ରତିଟି ତିମିର ଓଜନ ୫ରୁ ୮ଟନ ମଧ୍ୟରେ ହୋଇଥିବା ବେଳେ ଏମାନେ କ୍ଷୁଦ୍ର ପାଇଲଟ ପ୍ରଜାତିର ବୋଲି ଜଣାପଡ଼ିଛି। ସ୍ଥାନୀୟ ବିଶେଷଜ୍ଞମାନେ ନମୁନା ସଂଗ୍ରହ କରି ମୃତ୍ୟୁର କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ପ୍ରଜାତିର ତିମି ଏକାଠି ରହୁଥିବାରୁ ଦୁର୍ଘଟଣା ଯୋଗୁଁ କୌଣସି ତିମିର ମୃତଦେହ ସହିତ ସମଗ୍ର ଗୋଷ୍ଠୀ ଭାସି ଆସିପାରିଥାନ୍ତି କିମ୍ବା ସମୁଦ୍ର ମଧ୍ୟସ୍ଥ ବିଷସୃଷ୍ଟିକାରୀ ଶୈବାଳ ଖାଇ ଏମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସମୁଦ୍ର ମଧ୍ୟରେ କୌଣସି ବଡ଼ ଧରଣର ସୁନାମି କିମ୍ବା ବାତ୍ୟା ସୃଷ୍ଟିହେଲେ ମଧ୍ୟ ତିମିଙ୍କର ମୃତ୍ୟୁ ହେଉଥିବା ବିଶେଷଜ୍ଞମାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ନ୍ୟୁଜଲାଣ୍ଡ ତଟରେ ପ୍ରାୟ ୬ଶହ ତିମିଙ୍କ ମୃତଦେହ ଲାଗିଥିଲା।

ସମ୍ବନ୍ଧିତ ଖବର