ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍‌କୁ ଟକ୍କର ଦେବ ଏହି ୧.୭୮ ଲକ୍ଷ କୋଟିର ଯୁଦ୍ଧ ପୋତ!

ସିଡ୍‌ନୀ: ଚୀନର ବଡ଼ଭାଇ ପଣିଆରେ କେବଳ ଭାରତ ନୁହେଁ ; ଅନ୍ୟ କେତେକ ରାଷ୍ଟ୍ରର ମଧ୍ୟ ଚିନ୍ତାର କାରଣ ହୋଇଛି। ପ୍ରଶାନ୍ତ ମହାସାଗରରେ ଚୀନ ତା’ର ଆଧିପତ୍ୟ ବଢ଼ାଉ ଥିବା ବେଳେ ଅଷ୍ଟ୍ରେଲିଆ ନିଜର ସାମରିକ ତାକତ୍‌ ବଢ଼ାଇବା ଲାଗି ଉଦ୍ୟମ ଆରମ୍ଭ କରିଛି। ନିଜ ଉପକୂଳର ସୁରକ୍ଷାକୁ ସୁଦୃଢ଼ କରିବା ସହ ଜଳଭାଗରେ ପତିଆରା ଜାହିର କରିବା ଲାଗି ୧.୭୮ ଲକ୍ଷ କୋଟି ଟଙ୍କା ବ୍ୟୟରେ ଏକ ବିଶାଳ ଯୁଦ୍ଧ ଜାହାଜ କିଣୁଛି ଅଷ୍ଟ୍ରେଲିଆ। ଇଂଲଣ୍ଡର ଜଣାଶୁଣା ଯୁଦ୍ଧ ଜାହାଜ ନିର୍ମାଣକାରୀ ସଂସ୍ଥା ବିଏଇକୁ ଏହି କଣ୍ଟ୍ରାକ୍ଟ ଦେଇଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ନୌସେନା ଦ୍ୱାରା ପ୍ରଦତ୍ତ ଆବଶ୍ୟକତାକୁ ପୂରଣ କରି ବିଏଇ ଯୁଦ୍ଧ ପୋତଟି ନିର୍ମାଣ କରିବ।

ବର୍ତ୍ତମାନ୍‌ ବିଏଇ ଇଂଲଣ୍ଡ ଲାଗି ଏକ ବିଶାଳ ଆଣ୍ଟି-ସବ୍‌ମେରିନ୍‌ ଯୁଦ୍ଧପୋତ ନିର୍ମାଣ କରୁଛି। ଠିକ୍‌ ସେହି ପ୍ରଯୁକ୍ତିର ଆଉ ଏକ ଯୁଦ୍ଧ ପୋତ ନିର୍ମାଣ ଲାଗି ଅଷ୍ଟ୍ରେଲିଆ ଅଗ୍ରୀମ ହେଇଛି। ଏହି ଯୁଦ୍ଧ ଜାହାଜ ଅଷ୍ଟ୍ରେଲିଆରେ ନିର୍ମିତ ହେଉ ଥିବାରୁ ଏହି କାର୍ଯ୍ୟରେ ଅଷ୍ଟ୍ରେଲିଆର ଶ୍ରମିକ ଓ ଇଂଜିନିୟର ନିୟୋଜିତ ହେବେ । ଏହା ଅଷ୍ଟ୍ରେଲିଆ ଅର୍ଥନୀତି ଉପରେ ସକରାତ୍ମକ ପ୍ରଭାବ ପକାଇବ।

ବ୍ରିଟିସ୍‌ କମ୍ପାନି ବିଏଇକୁ ଯୁଦ୍ଧ ପୋତ ନିର୍ମାଣ ଦାୟିତ୍ୱ ମିଳିଥିବାରୁ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଥେରେସା ମେ ବେଶ୍‌ ଉତ୍ସାହିତ ଅଛନ୍ତି। ଏହି ଯୁଦ୍ଧ ପୋତରେ ଦୂରଗାମୀ କ୍ଷେପଣାସ୍ତ୍ର ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଖଞ୍ଜାଯିବାର ବ୍ୟବସ୍ଥା ରହିଛି। ଏହା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଷ୍ଟ୍ରେଲିଆର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ। କେବଳ ସେତିକି ନୁହେଁ, ଚୀନର ଶକ୍ତିଶାଳୀ ନୌସେନାକୁ ଏହା ଟକ୍କର ଦେଇପାରିବ।

ସମ୍ବନ୍ଧିତ ଖବର