ନଭେମ୍ବରରେ ହେବାକୁ ଥିବା ମାଲାବାର ନୌସମରାଭ୍ୟାରେ ଯୋଗ ଦେବ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ : ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ମାଲାବାର ନୌସମରାଭ୍ୟାସରେ ଅଷ୍ଟ୍ରେଲିଆ ଯୋଗ ଦେବ । ଏହା ଫଳରେ ଚଳିତ ଥର ମାଲାବାର ନୌସମରାଭ୍ୟାସରେ କ୍ୱାଡ୍‌ ମେଣ୍ଟର ସମସ୍ତ ୪ଟି ସଦସ୍ୟ ଦେଶ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଯୋଗ ଦେବେ ।

ବିଶ୍ୱରେ ଚୀନର ଆଧିପତ୍ୟ ବଢିଚାଲିଥିବାରୁ ତାହାର ମୁକାବିଲା କରିବାକୁ କ୍ୱାଡ ମେଣ୍ଟ ଉଦ୍ୟମ କରୁଛି । ଏ ପରିପ୍ରେକ୍ଷୀରେ ମାଲାବାର ନୌସମରାଭ୍ୟାସର ଗୁରୁତ୍ୱ ବଢିଚାଲିଛି । ଏବର୍ଷ ଲଦାଖରେ ଚୀନ ଓ ଭାରତ ସେନା ମୁହାଁମୁହିଁ ଥିବାବେଳେ ଏହି ସମରାଭ୍ୟାସର ଗୁରୁତ୍ୱ ବଢିଯାଇଛି । ଚଳିତ ବର୍ଷ ଭାରତୀୟ ନୌସେନା ସ୍ୱତନ୍ତ୍ର ଭାବେ ଜାପାନ ନୌସେନା, ଅଷ୍ଟ୍ରେଲିଆ ନୌସେନା ସହ ସମରାଭ୍ୟାସ କରିସାରିଛି । ସେହିପରି ଭାରତ ମହାସାଗରରେ ଆମେରିକା ନୌସେନା ସହ ପାସେକ୍ସ ସମରାଭ୍ୟାସ କରିଛି ।

ଗତ ଥର ମାଲାବାର ନୌସମରାଭ୍ୟାସ ସେପ୍ଟେମ୍ବର ୨୬, ୨୦୧୯ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ, ଜାପାନ ଓ ଆମେରିକାର ନୌସେନା ଯୋଗ ଦେଇଥିଲେ ।

ଚଳିତ ମାସ ପ୍ରାରମ୍ଭରେ ଟୋକିଓରେ ହୋଇଥିବା କ୍ୱାଡ୍‌ ବୈଠକରେ ୪ଟି ଯାକ ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀମାନେ ଯୋଗ ଦେଇଥିଲେ । ଏହି ବୈଠକ ପରେ ମାଲାବାର ନୌସମରାଭ୍ୟାସରେ ଅଷ୍ଟ୍ରେଲିଆ ଯୋଗ ଦେବା କଥା ସ୍ଥିର ହୋଇଥିଲା ।

ସମ୍ବନ୍ଧିତ ଖବର