ଚୀନ୍‌କୁ ପ୍ରତିରୋଧ କରିବା ଲକ୍ଷ୍ୟରେ ଆମେରିକାରୁ ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜ କିଣିବ ଅଷ୍ଟ୍ରେଲିଆ; ଫ୍ରାନ୍ସ୍‌ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ରଣନୀତି ପାରିପାର୍ଶ୍ବିକ ପରିସ୍ଥିତି ବଦଳିଯାଇଥିବାରୁ ଡିଜେଲ୍‌-ବିଜୁଳି ଚାଳିତ ବୁଡ଼ାଜାହାଜ ପାଇଁ ଫ୍ରାନ୍ସ୍‌ ସହ ହୋଇଥିବା ରାଜିନାମାକୁ ରଦ୍ଦ କରି ଯୁକ୍ତରାଷ୍ଟ୍ର ଆମେରିକାରୁ ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜ କିଣିବା ପାଇଁ ଅଷ୍ଟ୍ରେଲିଆ ନିଷ୍ପତ୍ତି ନେଇଥିବା କଥା ଆଜି ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନ୍‌ କହିଛନ୍ତି। ଏଥିପାଇଁ ଫ୍ରାନ୍ସ୍‌ ଅସନ୍ତୋଷ ବ୍ୟକ୍ତ କରିଥିବା କଥା ମଧ୍ୟ ସେ କହିଛନ୍ତି।

ବୁଧବାର ଦିନ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଥିଲେ ଯେ, ପ୍ରତିରକ୍ଷା ସାମର୍ଥ୍ୟକୁ ଅଧିକ ସହଯୋଗଭିତ୍ତିକ କରିବା ସକାଶେ ବ୍ରିଟେନ୍‌ ଓ ଅଷ୍ଟ୍ରେଲିଆ ସହ ଯୁକ୍ତରାଷ୍ଟ୍ର ଆମେରିକା ‘ନୂତନ ଭାରତ-ପ୍ରଶାନ୍ତ ମହାସାଗରୀୟ ନିରାପତ୍ତା ମେଣ୍ଟ’ ଗଠନ କରିବ।

ଏହାଦ୍ବାରା ଆମେରିକା ଏବଂ ଚୀନ୍‌ ମଧ୍ୟରେ ଥିବା ତିକ୍ତତା ଆହୁରି ବଢ଼ିଯିବାର ସମ୍ଭାବନା ରହିଛି। ଏ ସବୁ ପ୍ରତି ଦୃଷ୍ଟି ଦେଇ ଅଷ୍ଟ୍ରେଲିଆ ଫ୍ରାନ୍‌ସ୍‌କୁ ନୋଟିସ୍‌ ଦେଇ କହିଛି ଯେ, ବହୁଳାଂଶ ସରକାରୀ ମାଲିକାନାରେ ଥିବା ‘ଡିସିଏନ୍‌ଏସ୍‌’ କମ୍ପାନିକୁ ବିଶ୍ବର ବୃହତ୍ତମ ସାଧାରଣ ବୁଡ଼ାଜାହାଜ ନିର୍ମାଣ କରିବା ଲାଗି ହୋଇଥିବା ରାଜିନାମାକୁ ରଦ୍ଦ କରାଯିବ। ୨୦୧୬ରେ ୧୨ଟି ବୁଡ଼ାଜାହାଜ ପାଇଁ ଫ୍ରାନ୍‌ସ୍‌ ସହ ରାଜିନାମା କରିବା ପର ଠାରୁ ଏହି ପ୍ରକଳ୍ପ ନିମନ୍ତେ ଅଷ୍ଟ୍ରେଲିଆ ୨.୪ ବିଲିୟନ୍ ଅଷ୍ଟ୍ରେଲୀୟ ଡଲାର୍‌ ଖର୍ଚ୍ଚ କରିସାରିଲାଣି।

Image Courtesy of NDTV

ମରିସନ୍‌ କହିଛନ୍ତି, ୨୦୧୬ରେ ୫୬ ବିଲିୟନ୍ ଅଷ୍ଟ୍ରେଲୀୟ ଡଲାର୍‌ର ଏହି ରାଜିନାମା ହେବା ସମୟରେ ଆଣବିକ ଶକ୍ତି ଚାଳିତ ଆମେରିକୀୟ ବୁଡ଼ାଜାହାଜ ବୈଷୟିକ ବିଦ୍ୟା ପ୍ରକଳ୍ପ କଥା ଅଷ୍ଟ୍ରେଲିଆ ଅବଗତ ନ ଥିଲା। ଏପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକା ଏହି ବୈଷୟିକ ବିଦ୍ୟା କେବଳ ବ୍ରିଟେନ୍‌କୁ ଦେଇଛି।

ମରିସନ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଷ୍ଟ୍ରେଲିଆର ରଣନୈତିକ ନିରାପତ୍ତା ଆବଶ୍ୟକତାକୁ ‘ସାଧାରଣ ବୁଡ଼ାଜାହାଜର ସାମର୍ଥ୍ୟ’ ବାସ୍ତବରେ ସହାୟକ ହେବ କି, ନାହିଁ ବୋଲି ଜୁନ୍‌ ମାସରେ ମୁଁ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ଙ୍କୁ ପଚାରିଥିଲି।

ସେମାନେ ଆମର ଉତ୍ତମ ଅଂଶୀଦାର ହୋଇଥିବାରୁ ଏ କଥାରେ ହତାଶ ହୋଇଛନ୍ତି। କିନ୍ତୁ, ଏହା ହେଉଛି ଆମ ରଣନୈତିକ ସ୍ବାର୍ଥ, ଆମ ରଣନୈତିକ ସାମର୍ଥ୍ୟଗତ ଆବଶ୍ୟକତା ଏବଂ ପରିବର୍ତ୍ତିତ ରଣନୈତିକ ପାରିପାର୍ଶ୍ବିକ ପରିସ୍ଥିତିର କଥା। ତେଣୁ, ଆମକୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଲା।

ମରିସନ୍‌ ଆହୁରି ମଧ୍ୟ କହିଛନ୍ତି, କେଉଁ ଶ୍ରେଣୀର ବୁଡ଼ାଜାହାଜ ଚୟନ କରିବ ଏବଂ ଆଣବିକ ବୁଡ଼ାଜାହାଜର ମୂଲ୍ୟ କେତେ ଏବେ ମଧ୍ୟ ଅଷ୍ଟ୍ରେଲିଆ ଜାଣିନାହିଁ। ତାଙ୍କର ଆଶା ଅଷ୍ଟ୍ରେଲିଆର ଆଡିଲେଡ୍‌ ସହରରେ ତିଆରି ହେବାକୁ ଥିବା ପ୍ରଥମ ଛେକ ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜଗୁଡ଼ିକର ନିର୍ମାଣ ଗୋଟିଏ ଦଶନ୍ଧିରେ ଶେଷ ହୋଇଯିବ।

ସମ୍ବନ୍ଧିତ ଖବର