ସିଡନିରେ ପହଞ୍ଚିଲା ୮୦୦ କୋଭିଡ୍ ଆକ୍ରାନ୍ତ ଥିବା ଜାହାଜ

ସିଡନି : ପ୍ରାୟ ୮୦୦ କୋଭିଡ୍ ଆକ୍ରାନ୍ତଙ୍କ ସମେତ ମୋଟ ୪୬୦୦ ଯାତ୍ରୀ ଥିବା କ୍ରୁଜ୍ ଜାହାଜ ମାଜେଷ୍ଟିକ୍ ପ୍ରିନସେସ ଶନିବାର ସକାଳେ ସିଡନି ବନ୍ଦରରେ ପହଞ୍ଚିଛି । ଜାହାଜରୁ ବାହାରିବାକୁ ଯାତ୍ରୀମାନଙ୍କୁ ଅନୁମତି ଦିଆଯାଇଛି ।

ଜାହାଜ କମ୍ପାନି ‘କାର୍ନିଭାଲ ଅଷ୍ଟ୍ରେଲିଆ’ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଯାତ୍ରୀମାନେ କରୋନା ସଂକ୍ରମିତ ହୋଇଥିଲେ ସେମାନଙ୍କୁ ଜାହାଜ ଭିତରେ ଏକାନ୍ତବାସରେ ରଖାଯାଇଥିଲା । ସିଡନିରେ ପହଞ୍ଚିବା ପୂର୍ବରୁ ସେମାନଙ୍କର ରାପିଡ୍ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା ।

କାର୍ନିଭାଲ ଅଷ୍ଟ୍ରେଲିଆର ମାର୍ଗିରାଇଟ୍ ଫିଟଜେରାଲଡ କହିଛନ୍ତି ଯେ କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କ ଶରୀରରେ କୌଣସି ଲକ୍ଷଣ ନାହିଁ ଓ ସେମାନେ ପ୍ରାୟତଃ ସୁସ୍ଥ ଅଛନ୍ତି । ଏହା ସତ୍ତ୍ବେ ସେମାନଙ୍କୁ ଅନ୍ୟ ଲୋକମାନଙ୍କ ସହ ମିଶିବାକୁ ବାରଣ କରାଯାଇଛି ।

ଅନ୍ୟପକ୍ଷରେ ନ୍ୟୁ ସାଉଥ ଓ୍ବେଲସର ଗୃହମନ୍ତ୍ରୀ କ୍ଲେର୍ ଓ ନିଲ କହିଛନ୍ତି ଯେ, ଆକ୍ରାନ୍ତ ଲୋକମାନଙ୍କୁ କରୋନା ନିୟମାବଳୀ ପାଳନ କରିବାକୁ ହେବ ।

ଏହି ଜାହାଜ ଘଟଣା ଗତ ୨୦୨୦ ମାର୍ଚ୍ଚରେ ଅଷ୍ଟ୍ରେଲିଆର ରୁବି ପ୍ରିନସେସ ଜାହାଜରେ ହୋଇଥିବା କରୋନା ସଂକ୍ରମଣ କଥା ସ୍ମରଣ କରାଇଦେଇଛି । ସେତେବେଳେ ଏହି ଜାହାଜରେ ୬୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ୨୮ ଜଣ ମୃତ୍ୟୁବରଣ କରିଥିଲେ । ଏହି ଘଟଣା ସେତେବେଳେ ଅଷ୍ଟ୍ରେଲିଆରେ ଆତଙ୍କ ସୃଷ୍ଟି କରିଥିଲା, କାରଣ ସେତେବେଳକୁ କରୋନା ସମଗ୍ର ବିଶ୍ବରେ ମହାମାରୀ ରୂପ ଗ୍ରହଣ କରିସାରିଥିଲା ।

 

 

 

 

ସମ୍ବନ୍ଧିତ ଖବର