ଦକ୍ଷିଣ ଚୀନ ସାଗରରେ ଉତ୍ତେଜନା ବଢୁଛି, ଏକାଠି ହେଲେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ : ଚୀନକୁ ନେଇ ସମଗ୍ର ଏସିଆର ଉତ୍ତେଜନା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏସିଆରେ ଆମେରିକାର ଉପସ୍ଥିତି ବଢିଚାଲିଛି ।
ଗତକାଲି ଆଣ୍ଡାମାନ ନିକଟରେ ଭାରତୀୟ ନୌସେନା ସହ ୟୁଏସଏସ ନିମିଜ ଷ୍ଟ୍ରାଇକ ଗ୍ରୁପ ଯୁଦ୍ଧାଭ୍ୟାସ କରିଥିଲା । ଆଜି ଫିଲିପାଇନ୍ସ ସାଗରରେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ନୌସେନା ଏକ ବଡ଼ ଧରଣର ଯୁଦ୍ଧାଭ୍ୟାସ ଆରମ୍ଭ କରିଛନ୍ତି । ଚୀନ ସହ ଏସବୁ ରାଷ୍ଟ୍ରଗୁଡ଼ିକର ବିବାଦ ପରିପ୍ରେକ୍ଷୀରେ ଏହି ଯୁଦ୍ଧାଭ୍ୟାସକୁ ଗୁରୁତ୍ୱ ଦିଆଯାଉଛି । ଏଥିରେ ଆମେରିକାର ୟୁଏସଏସ ରୋନାଲ୍ଡ ରେଗାନ ଷ୍ଟ୍ରାଇକ ଗ୍ରୁପ, ଜାପାନୀ ଯୁଦ୍ଧ ଜାହାଜ ଓ ଡେଷ୍ଟ୍ରୟର ଓ ଅଷ୍ଟ୍ରେଲିଆର ଯୁଦ୍ଧ ଜାହାଜ ଯୋଗ ଦେଇଛନ୍ତି ।
ଏହି ଅବସରରେ ଅଷ୍ଟ୍ରେଲିଆ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ସମୁଦ୍ରରେ ନିରାପତ୍ତା ରକ୍ଷା ପାଇଁ ମିତ୍ର ଦେଶମାନଙ୍କ ନୌସେନା ମଧ୍ୟରେ ତାଳମେଳ ଜରୁରୀ ।
ଗତ ପ୍ରାୟ ଏକ ମାସ ହେବ ଆମେରିକା ନୌସେନା ଦକ୍ଷିଣଚୀନ ସାଗରରେ ନିୟମିତ ସମୟ ବ୍ୟବଧାନରେ ଯୁଦ୍ଧାଭ୍ୟାସ ଚଳାଇଛି । ଆମେରିକାର ଦୁଇଟି ବୃହତ ବିମାନବାହୀ ଯୁଦ୍ଧପୋତ ୟୁଏସଏସ ନିମିଜ ଓ ୟୁଏସଏସ ରୋନାଲ୍ଡ ରେଗାନ ଓ ଅନ୍ୟ ଯୁଦ୍ଧଜାହାଜଗୁଡ଼ିକ ଦକ୍ଷିଣଚୀନ ସାଗର ଓ ଭାରତ ମହାସାଗରରେ ଉପସ୍ଥିତ ଅଛନ୍ତି ।
ଚୀନ ସମଗ୍ର ଦକ୍ଷିଣ-ଚୀନ ସାଗରକୁ ନିଜର ଅଞ୍ଚଳ କହୁଥିବାବେଳେ ଏହା ଅନ୍ତର୍ଜାତୀୟ ଜଳକ୍ଷେତ୍ର ବୋଲି ଆମେରିକା ସମେତ ବିଶ୍ୱର ପ୍ରାୟ ସବୁ ଦେଶ କହୁଛନ୍ତି ।

ସମ୍ବନ୍ଧିତ ଖବର