ଅଷ୍ଟ୍ରେଲିଆ ବନାଗ୍ନି କବଳରୁ ବର୍ତ୍ତି ଯାଇଛି ଡାଇନୋସର୍‌ ଅମଳର ଓ୍ଵଲେମି ପାଇନ୍‌ ଗଛ

ସିଡ୍‌ନି: ଡାଇନୋସର୍‌ ଅମଳରୁ ବଞ୍ଚି ରହିଥିବା ଅଷ୍ଟ୍ରେଲିଆର ଓ୍ଵଲେମି ପାଇନ୍‌ ଗଛଗୁଡ଼ିକୁ ନିଆଁ ଲିଭାଳିମାନେ ଭୟଙ୍କର ବନାଗ୍ନି କବଳରୁ ରକ୍ଷା କରିଛନ୍ତି।

୧୯୯୪ ଯାଏଁ ଧରି ନିଆଯାଇଥିଲା କି, ଏହି ବିଶାଳକାୟ ପ୍ରାଗ୍‌-ଐତିହାସିକ ଗଛଗୁଡ଼ିକ ବିଲୁପ୍ତ ହୋଇ ଯାଇଛି। କିନ୍ତୁ, ସିଡ୍‌ନିର ଉତ୍ତର-ପଶ୍ଚିମରେ ଅବସ୍ଥିତ ବ୍ଲୁ ମାଉଣ୍ଟେନ୍ସ୍‌ (ନୀଳ ପର୍ବତଶ୍ରେଣୀ) ନିକଟରେ ଥିବା ଓ୍ଵଲେମି ଜାତୀୟ ଉଦ୍ୟାନରେ ସେ ଗଛରୁ ୨୦୦ଟି ଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ ପରେ ଜାଣିବାକୁ ପାଇଥିଲେ।

କିନ୍ତୁ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଥିବା ବନାଗ୍ନି ଯୋଗୁଁ ଏହି ଗଛ ସବୁ ନଷ୍ଟ ହେବାକୁ ଯାଉଥିଲା। ଏହି ଆଦିମ ଗଛଗୁଡ଼ିକୁ ନିରାପଦ ରଖିବାକୁ ଅଗ୍ନିଶମ କର୍ମଚାରୀମାନେ ଓ୍ଵଲେମି ଜାତୀୟ ଉଦ୍ୟାନରେ ଜଳ ସିଞ୍ଚନ ବ୍ୟବସ୍ଥା କରି ନିଆଁର ପ୍ରକୋପ ହ୍ରାସ କରାଇବାକୁ ଅନବରତ ଉଦ୍ୟମ ଚଳାଇଥିଲେ।

Image Source: Dailyhunt

ଉଦ୍ୟାନରେ ଥିବା ଏହି ଗଛଗୁଡ଼ିକ ଆଡ଼କୁ ନିଆଁ ଚରିଆସିବା କ୍ଷଣି ଅଗ୍ନିଶମ କର୍ମଚାରୀମାନେ ହେଲିକପ୍ଟର୍‌ ଯୋଗେ ଯାଇ ଜଳ ସିଞ୍ଚନ ବ୍ୟବସ୍ଥା ଚାଲୁ କରି ଅଗ୍ନିଶିଖାର ପ୍ରକୋପକୁ ହ୍ରାସ କରିବାକୁ ଉଦ୍ୟମ କରୁଥିଲେ।

ବହୁ ଉଦ୍ୟମ ସତ୍ତ୍ୱେ ଏହି ପ୍ରଜାତିର କିଛି ଗଛ ନିଆଁରେ ପୋଡ଼ିଯାଇଛି। ବଞ୍ଚି ରହିଥିବା କେତେକ ଗଛର ଏବେ ଯତ୍ନ ନିଆଯାଉଥିବା କଥା ପରିବେଶ ମନ୍ତ୍ରୀ ମ୍ୟାଟ୍‌ କିନ୍‌ କହିଛନ୍ତି।

ସମ୍ପୃକ୍ତ ଅଞ୍ଚଳରେ ହାଲୁକା ବର୍ଷା ଓ ତାପମାତ୍ରା ହ୍ରାସ ଯୋଗୁଁ ନିଆଁକୁ ଆୟତ୍ତ କରାଯାଇଥିବା କଥା ଜଣାପଡ଼ିଛି।

ସମ୍ବନ୍ଧିତ ଖବର