ଷ୍ଟ୍ରେଚର ନ ମିଳିବାରୁ ସ୍ତ୍ରୀ ଓ ପିଲାକୁ ବଞ୍ଚାଇବା ପାଇଁ ପ୍ରଥମ ମହଲାକୁ ଅଟୋ ନେଇଗଲେ ଯୁବକ, ଭାଇରାଲ ହେଉଛି ଭିଡିଓ

ସେନ୍ଧଓ୍ଵା(ମଧ୍ୟ୍ରପ୍ରଦେଶ) : ମଧ୍ୟପ୍ରଦେଶର ସେନ୍ଧଓ୍ଵାସ୍ଥିତ ଡ଼ାକ୍ତରଖାନାରେ ଥିବା ସବୁ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ, ଯେତେବେଳେ ଜଣେ ଲୋକ ଅଟୋରିକ୍ସାକୁ ଡ଼ାକ୍ତରଖାନା ଭିତରେ ଭର୍ତ୍ତି କରିବା ସହ ପ୍ରଥମ ମହଲାକୁ ନେଇ ଯାଇଥିଲା । ଉପସ୍ଥିତ ଥିବା ସବୁ ଲୋକ ଏହି ଦୃଶ୍ୟ ଦେଖି ହଠାତ୍‌ କିଛି ବୁଝି ପାରି ନ ଥିଲେ । ପରେ ସବୁ କଥା ସାମ୍ନାକୁ ଆସିଥିଲା ।

ସୂଚନା ମୁତାବକ, ସ୍ଥାନୀୟ ଦେବଝରୀ କଲୋନୀରେ ରହୁଥିବା ମହିଳାଙ୍କୁ ପ୍ରସବ ପୀଡ଼ା ହୋଇଥିଲା। ତାଙ୍କ ସ୍ୱାମୀ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଲାଗି ଫୋନ କରିଥିଲେ । କିନ୍ତୁ ଡ଼ାକ୍ତରଖାନାର ନର୍ସ ଫୋନ ଧରି ଏବେ କୌଣସି ଆମ୍ଭୁଲାନ୍ସ ଉପଲବ୍ଧ ନ ଥିବା କହିଥିଲେ । ଏହାର କିଛି ସମୟ ପରେ ମହିଳାଜଣକ ଘରେ ହିଁ ନବଜାତକୁ ଜନ୍ମ ଦେଇଥିଲେ । ପରେ ଚିକିତ୍ସା କରିବା ପାଇଁ ମହିଳାଙ୍କ ସ୍ୱାମୀ ନିଜ ସ୍ତ୍ରୀ ଏବଂ ନବଜାତକୁ ଧରି ଅଟୋରେ ଡ଼ାକ୍ତରଖାନା ପହଞ୍ଚିଥିଲେ । କିନ୍ତୁ ସେଠାରେ ରୋଗୀକୁ ଉପରକୁ ନେବା ପାଇଁ ଷ୍ଟ୍ରେଚର ନଥିବା ଦେଖି ମହିଳାଙ୍କ ସ୍ୱାମୀ ଅଟୋକୁ ଡ଼ାକ୍ତରଖାନା ଭିତରେ ଭର୍ତ୍ତି କରିବା ସହ ପ୍ରଥମ ମହଲାକୁ ଅଟୋ ଚଳାଇ ନେଇଥିଲେ । ପରେ ନର୍ସ ଆସି ମହିଳା ଏବଂ ନବଜାତକୁ ନେଇ ଓ୍ଵାର୍ଡ଼ରେ ଭର୍ତ୍ତି କରାଇଥିଲେ ।

ଚିକିତ୍ସା ପରେ ଦୁହେଁ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଏଭଳି କାମ ସେଠାରେ ଉପସ୍ଥିତ ଥିବା ଜଣେ ଲୋକ ରେକର୍ଡ଼ କରି ସୋସିଆଲ ମିଡିଆରେ ଛାଡ଼ିବା ପରେ ଏବେ ତାହା ଭାଇରାଲ ହୋଇଛି ।

ସମ୍ବନ୍ଧିତ ଖବର