ବଞ୍ଚିଛି ସଚ୍ଚୋଟ ପଣିଆ : ଦମ୍ପତ୍ତି ଛାଡିଯାଇଥିବା ୫ ଲକ୍ଷ ଟଙ୍କାର ଅଳଙ୍କାର ବ୍ୟାଗ୍ ଅଟୋରିକ୍ସା ଚାଳକ ଫେରାଇଦେଲେ
ଥାନେ: ଏବେ ବି ସମାଜରେ ବଞ୍ଚି ରହିଛି ସଚ୍ଚୋଟ ପଣିଆ। ଗୁରୁବାର ମହାରାଷ୍ଟ୍ରର ଥାନେରେ ଦେଖିବାକୁ ମିଳିଛି ଏହାର ଏକ ସଦ୍ୟ ଉଦାହରଣ। ଏକ ଦମ୍ପତ୍ତି ଥାନେରେ ଅଟୋରିକ୍ସାରେ ଯାତ୍ରା କରୁଥିବା ସମୟରେ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଥିବା ବ୍ୟାଗ୍ଟିଏ ଛାଡ଼ି ଦେଇଥିଲେ। ଅଟୋରିକ୍ସାରେ ବ୍ୟାଗ୍ଟିକୁ ପାଇବା ପରେ ଚାଳକ ବିପିନ୍ ଭାଇ ପଟେଲ୍ ଲୋଭଗ୍ରସ୍ତ ନ ହୋଇ ଏହାକୁ ତା’ର ମାଲିକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିଥିଲେ । ବିପିନ୍ ଭାଇଙ୍କର ଯେତେବେଳେ ମନେପଡ଼ିଥିଲା କି ତାଙ୍କ ଅଟୋରିକ୍ସାରେ ଯାଇଥିବା ଦମ୍ପତ୍ତି ହିଁ ବ୍ୟାଗ୍ ଛାଡ଼ି ଯାଇଛନ୍ତି ,ସେ ଥାନେ ଗ୍ରାମାଞ୍ଚଳ ପୁଲିସର କ୍ରାଇମ୍ବ୍ରାଞ୍ଚ୍ କୁ ଯୋଗାଯୋଗ କରି ଘଟଣା ସଂପର୍କରେ ଅବଗତ କରାଇଥିଲେ। ଏହାପରେ ଅଳଙ୍କାର ବ୍ୟାଗ୍ର ମାଲିକ-ମାଲିକାଣୀଙ୍କୁ ଖୋଜା ଆରମ୍ଭ ହୋଇଥିଲାା। କ୍ରାଇମ୍ବ୍ରାଞ୍ଚର ଖୋଳତାଡ ପରେ ଜଣାପଡ଼ିଥିଲା କି ଜୁଲ୍ଫିକର ଲକଡାଓ୍ଵାଲା ଓ ରଚନା ଲକଡାଓ୍ଵାଲା ଅଟୋରେ ଯିବାବେଳେ ଅଳଙ୍କାର ଛାଡି ଦେଇଥିଲେ। ଲକଡାଓ୍ଵାଲା ଦମ୍ପତ୍ତି ଲଣ୍ଡନରେ ଆଇନ ବ୍ୟବସାୟ କରନ୍ତି ଓ ସେମାନେ ଭାରତ ଗସ୍ତରେ ଆସିଥିଲେ। ପୁଲିସ ପକ୍ଷରୁ ଯୋଗାଯୋଗ କରାଯାଇ ଦମ୍ପତ୍ତିଙ୍କୁ ବ୍ୟାଗ୍ଟି ଫେରାଇ ଦିଆଯାଇଛିି।