ହିମସ୍ଖଳନରେ ଫସି ୩ ଭାରତୀୟ ଯବାନ ସହିଦ

ଶ୍ରୀନଗର : ଏକ ଦୁର୍ଭାଗ୍ୟଜନକ ଘଟଣାକ୍ରମେ ଭାରତୀୟ ସେନା ଅନ୍ତର୍ଗତ ୫୬ ରାଷ୍ଟ୍ରୀୟ ରାଇଫଲ୍ସର ତିନି ଜଣ ଯବାନ ଶୁକ୍ରବାର ଦିନ ଏକ ହିମସ୍ଖଳନରେ ଫସି କର୍ତ୍ତବ୍ୟରତ ଅବସ୍ଥାରେ ସହିଦ ହୋଇଛନ୍ତି । ସେମାନେ ଜମ୍ମୁ ଓ କଶ୍ମୀରର କୁପଓ୍ବାଡ଼ା ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ କର୍ତ୍ତବ୍ୟରତ ଥିବାବେଳେ ହିମସ୍ଖଳନର ସମ୍ମୁଖୀନ ହୋଇଥିଲେ । ସେନାର ଉଦ୍ଧାରକାରୀ ଦଳ ସେମାନଙ୍କ ମୃତଦେହ ଉଦ୍ଧାର କରିଛି ।

ଦୁର୍ଗମ ପରିବେଶରେ କର୍ତ୍ତବ୍ୟରତ ଅବସ୍ଥାରେ ଦେଶ ପାଇଁ ବଳୀଦାନ ଦେଇଥିବା ଏହି ତିନି ଯବାନ ହେଲେ ସୌଭିକ ହାଜରା, ମୁକେଶ କୁମାର, ଗାଇକ୍ବାଡ୍ ମନୋଜ ଲକ୍ଷ୍ମଣ ରାଓ । ଦୁର୍ଗମୁଲାସ୍ଥିତି ମିଲିଟାରୀ ହସପିଟାଲକୁ ସେମାନଙ୍କ ମୃତଦେହ ସ୍ଥାନାନ୍ତର କରାଯାଇଛି ।

ଚଳିତ ବର୍ଷ ଫେବ୍ରୁଆରି ମାସରେ ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟରରେ ହିମସ୍ଖଳନ ଯୋଗୁଁ ୭ ଭାରତୀୟ ସେନା ଜବାନ ସହିଦ ହୋଇଥିଲେ । ତଓ୍ବାଙ୍ଗ ଜିଲ୍ଲାରେ ମୁତୟନ ଥିବାବେଳେ ସେମାନେ ନିଖୋଜ ହୋଇଯାଇଥିଲେ । ପରେ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ ଚଳାଯାଇ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

୨୦୨୦ ଜାନୁଆରି ମାସରେ କୁପଓ୍ବାଡା ସେକ୍ଟରର ମିଚଲି ଠାରେ ହିମସ୍ଖଳନରେ ଫସି ୪ ଭାରତୀୟ ସୈନିକ ସହିଦ ହୋଇଥିଲେ । ଏହି ଘଟଣାରେ କିଛି ସ୍ଥାନୀୟ ଲୋକ ବି ମୃତାହତ ହୋଇଥିଲେ ।

ସମ୍ବନ୍ଧିତ ଖବର