ଏବିଭିପି କର୍ମୀରୁ କେନ୍ଦ୍ରମନ୍ତ୍ରୀ:ଅପ୍ରତିଦ୍ବନ୍ଦ୍ବୀ ଅନନ୍ତ

ବେଙ୍ଗାଲୁରୁ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ନିଷ୍ଠାବାନ ବିଚାରକ, ବେଙ୍ଗାଲୁରୁର ସର୍ବାଧିକ ଲୋକପ୍ରିୟ ନେତା, ଦୃଢ଼ ସଂଗଠକ ତଥା ମୋଦୀ ସରକାରଙ୍କ ସୁଦକ୍ଷ ମନ୍ତ୍ରୀ ଅନନ୍ତ କୁମାର ଆଉ ନାହାନ୍ତି। ୫୯ ବର୍ଷ ବୟସରେ ତାଙ୍କର ଅକାଳ ମୃତ୍ୟୁ ବିଜେପିରେ ଏକ ବଡ଼ ଶୂନ୍ୟସ୍ଥାନ ଛାଡ଼ିଯାଇଛି। କେବଳ କର୍ଣ୍ଣାଟକ କାହିଁକି, ତାଙ୍କ ମୃତ୍ୟୁରେ ଆଜି ଦେଶବାସୀ ମର୍ମାହତ।
୧୯୫୯ ଜୁଲାଇ ୨୨ରେ ଏକ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବା ମନ୍ତ୍ରୀ ଅନନ୍ତ କୁମାରଙ୍କ ପିତା ନାରାୟଣ ଶାସ୍ତ୍ରୀ ଜଣେ ରେଳ କର୍ମଚାରୀ ଥିଲେ। ମାତା ଗିରିଜା ଏନ୍‌ ଶାସ୍ତ୍ରୀ ଜଣେ ଗ୍ରାଜୁଏଟ୍‌ ମହିଳା ଥିଲେ। କୁମାର କର୍ଣ୍ଣାଟକ ୟୁନିଭର୍ସିଟିର କେ.ଏସ୍‌. ଆର୍ଟସ କଲେଜରୁ ସ୍ନାତକ ଓ ଜେଏସ୍‌ଏସ୍‌ ଲ’ କଲେଜରୁ ଏଲ୍‌ଏଲ୍‌ବି ହାସଲ କରିଥିଲେ। ପ୍ରଥମେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ସେ। କର୍ଣ୍ଣାଟକରେ ଏବିଭିପିର ସଦସ୍ୟ ଥିବା ବେଳେ କୁମାର ୧୯୮୫ରେ ଏହାର ରାଷ୍ଟ୍ରୀୟ ସମ୍ପାଦକ ରହିଥିଲେ। ଧୀରେ ଧୀରେ ରାଜ୍ୟର ପ୍ରଭାବୀ ନେତାଙ୍କ ମଧ୍ୟରେ ସେ ନିଜକୁ ସାମିଲ କରିପାରିଥିଲେ।
୬ ଥର ଲଗାତର ଲୋକସଭା ସାଂସଦ
୧୯୯୫ରେ ହିଁ ତାଙ୍କୁ ଦକ୍ଷିଣ ବେଙ୍ଗାଲୁରୁ ଲୋକସଭା ଆସନରେ ବିଜେପି ଟିକଟ ମିଳିଥିଲା। ଏହି ଆସନରୁ ସେ ୬ ଥର ନିର୍ବାଚିତ ହୋଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ। ୨୦୧୪ରେ କଂଗ୍ରେସ ନେତା ନିଲେକାନିଙ୍କୁ ୨ ଲକ୍ଷ ଭୋଟ୍‌ରେ ହରାଇ ଅପ୍ରତିଦ୍ବନ୍ଦ୍ବୀ ନେତା ସାଜିଥିଲେ। ଏହା ବେଶ୍‌ ଚର୍ଚ୍ଚିତ ହୋଇଥିଲା।
ବାଜପେୟୀ କ୍ୟାବିନେଟ୍‌ରେ ସର୍ବକନିଷ୍ଠ ମନ୍ତ୍ରୀ
୧୯୯୮ରେ ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟ୍‌ରେ ସର୍ବକନିଷ୍ଠ ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। କାର୍ଯ୍ୟକାଳ ମଧ୍ୟରେ ଅନେକ ଥର ମନ୍ତ୍ରୀପଦ ମିଳିଥିଲା।

କର୍ଣ୍ଣାଟକ ଗସ୍ତରେ ମୋଦୀ

କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ଅନ୍ତିମ ସଂସ୍କାର ‌ମଙ୍ଗଳବାର ଅପରାହ୍ନରେ ହେବାକୁ ଥିବା ବେଳେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ ଗସ୍ତ କରିଛନ୍ତି। ତାଙ୍କ ସହିତ କିଛି ବରିଷ୍ଠ ନେତା ମଧ୍ୟ ଯାଇଛନ୍ତି। ଆଜି କୁମାରଙ୍କ ଅକାଳ ବିୟୋଗରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ।

ସମ୍ବନ୍ଧିତ ଖବର