କର୍ମଚାରୀ କୋଭିଡ୍‌-୧୯ ଆକ୍ରାନ୍ତ; ସିଲ୍ ହେବ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ମୁଖ୍ୟାଳୟ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଜଣେ କର୍ମଚାରୀ କରୋନାଭାଇରସ୍ ଆକ୍ରାନ୍ତ ହୋଇଥିବା କଥା ଜଣାପଡ଼ିବା ପରେ ଏହାର ମୁଖ୍ୟାଳୟକୁ ସିଲ୍ କରାଯିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ଯେ ନୂଆଦିଲ୍ଲୀର ଜୋର୍ ବାଗସ୍ଥିତ ରାଜୀବ ଗାନ୍ଧୀ ଭବନରେ ଥିବା ମନ୍ତ୍ରାଳୟର ମୁଖ୍ୟାଳୟ ନିର୍ଦ୍ଧାରିତ ପ୍ରୋଟକଲ୍ ଅନୁଯାୟୀ ବନ୍ଦ କରାଯିବ। ସମ୍ପୃକ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କର ନମୁନା ପରୀକ୍ଷା କରାଯିବ। ଏବେ ସେମାନଙ୍କୁ ଏକାନ୍ତବାସରେ ରହିବାକୁ ନିର୍ଦେଶ ଦିଆଯାଇଛି।

ଏପ୍ରିଲ୍ ୧୫ ତାରିଖରେ ଅଫିସକୁ ଆସିଥିବା ମନ୍ତ୍ରାଳୟର ଜଣେ କର୍ମଚାରୀ ଏପ୍ରିଲ୍ ୨୧ ତାରିଖରେ କୋଭିଡ୍-୧୯ ପଜିଟିଭ୍ ଆସିଥିବା ଜଣାପଡ଼ିଛନ୍ତି। କିଛି ଦିନ ତଳୁ ସମ୍ପୃକ୍ତ କର୍ମଚାରୀଜଣଙ୍କର ତଣ୍ଟି କଷ୍ଟ ହେଉଥିଲା। ତାଙ୍କର ନମୁନା ପରୀକ୍ଷା କରାଯିବା ପରେ ସେ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲା।

ନାମ ଗୋପନ ରଖିବାକୁ ଅନୁରୋଧ କରି ଜଣେ ସରକାରୀ କର୍ମଚାରୀ କହିଛନ୍ତି ଯେ ଯାନବାହାନରେ ଗମନାଗମନ କରିବା ବେଳେ ସାମାଜିକ ଦୂରତା ପାଳନ ହେଉନାହିଁ। ଫଳରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେଉଛି।

 

ସମ୍ବନ୍ଧିତ ଖବର