ଓ୍ଵାଘା: ସମସ୍ତ ପ୍ରତୀକ୍ଷାରେ ଅନ୍ତଃ ଘଟିଛି। ଶେଷରେ ଦେଶ ମାଟିରେ ପାଦ ରଖିଛନ୍ତି ଭାରତୀୟ ବାୟୁସେନାର ବୀର ପାଇଲଟ ଅଭିନନ୍ଦନ ବର୍ତମାନ। ଭାରତ ନିର୍ମିତ ମିଗ ବିମାନ ଉଡ଼ାଇ ଅତ୍ୟନ୍ତ ସାହସିକତାର ସହ ପାକ-ପାଇଲଟ୍‌ ଚଳାଉଥିବା ଆମେରିକା ନିର୍ମିତ ଅତ୍ୟାଧୁନିକ ଏଫ୍‌-୧୬ ବିମାନକୁ ଧ୍ୱଂସ କରିଦେଇ ଥିଲେ ବୀର ସନ୍ତାନ ଅଭିନନ୍ଦନ। ଦୁର୍ଭାଗ୍ୟବଶତଃ ଏହାପରେ ତାଙ୍କ ବିମାନ ଶତ୍ରୁପକ୍ଷର ଆକ୍ରମଣର ଶିକାର ହୋଇଥିଲା।

Advertisment

ଯେତେବେଳେ ଆକ୍ରମଣକାରୀ ପାକ ବିମାନକୁ ଧ୍ୱଂସ କରିବା ଲାଗି ନିଜ ମିଗ ବିମାନ ଉଡ଼ାଇ ଶତ୍ରୁପକ୍ଷର ଗୁଳିର ଶିକାର ହୋଇ ପାକ ସୀମା ଭିତରେ ପଡ଼ି ଯାଇ ବନ୍ଦୀ ହୋଇଥିଲେ, ସେତେବେଳେ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଥିଲା। ତାଙ୍କୁ ମୁକୁଳାଇ ଆଣିବା ଲାଗି ସମଗ୍ର ଦେଶ ଭାରତ ସରକାରଙ୍କୁ ଅନୁରୋଧ କରିଥିଲା। ତା’ପରେ ତାଙ୍କୁ ମୁକ୍ତ କରିବା ଲାଗି ଭାରତ ପକ୍ଷରୁ ଚାପ ପ୍ରୟୋଗ କରାଯାଇଥିଲା। ଶେଷରେ ଗତକାଲି ଭାରତର ଦାବି ଆଗରେ ମୁଣ୍ଡନୂଆଁଇ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଘୋଷଣା କରିଥିଲେ ଯେ ଶୁକ୍ରବାର ଅଭିନନ୍ଦନଙ୍କୁ ମୁକ୍ତ କରାଯିବ।

ଶୁକ୍ରବାର ପୂର୍ବାହ୍ନରେ ଇସ୍‌ଲାମବାଦ୍‌ରୁ ଅଭିନ୍ଦନଙ୍କୁ ଲାହୋର ଅଣାଯାଇଥିଲା। ଲାହୋରରୁ ପାକିସ୍ତାନ ନାଭାଲ ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ଭିତରେ ଅଭିନନ୍ଦନଙ୍କୁ ଓ୍ଵାଘା ସୀମାକୁ ଅଣାଯାଇଥିଲା। ଓ୍ଵାଘା ସୀମାରେ ସରକାରୀ ଔପଚାରିକତା ପୂରଣ ପରେ ଅଭିନନ୍ଦନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

publive-image

ଶେଷରେ ପାକିସ୍ତାନ ପକ୍ଷରୁ ଅଭିନନ୍ଦନଙ୍କୁ ଭାରତକୁ ସମର୍ପି ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରତ୍ୟାର୍ପଣ ପ୍ରକ୍ରିୟାରେ ବିଳମ୍ବ ହେବା ହେତୁ ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରିନଥିଲେ ଅଭିନନ୍ଦନ। ପାକିସ୍ତାନ ପକ୍ଷରୁ ପ୍ରତ୍ୟାର୍ପଣ ସମୟକୁ ୨ ଥର ବଦଳା ଯିବାରୁ ଆସିବାରେ ବିଳମ୍ବ ହୋଇଛି। ଯାହା ହେଉ, ଶେଷରେ ନିଜ ବାହିନୀର ବୀର ଯୋଦ୍ଧାଙ୍କୁ ପାକ କର୍ତ୍ତୃପକ୍ଷଙ୍କ ଠାରୁ ଗ୍ରହଣ କରିଛନ୍ତି ବାୟୁସେନାର ଏୟାର ଭାଇସ୍‌ ମାର୍ସାଲ ଆର୍‌ଜିକେ କପୁର।

ଅପରାହ୍ନ ୪ଟାରେ ଅଭିନନ୍ଦନ ଭାରତରେ ପହଞ୍ଚିବେ ବୋଲି ସୂଚନା ରହିଥିଲା। ମାତ୍ର ହସ୍ତାନ୍ତର ପ୍ରକ୍ରିୟାରେ ବିଳମ୍ବ ହେବା ହେତୁ ଭାରତରେ ପାଦ ଦେବା ବେଳକୁ ରାତି ହୋଇ ଯାଇଥିଲା। ଅଭିନ୍ଦନଙ୍କୁ ସ୍ୱାଗତ କରିବା ପାଇଁ ଓ୍ଵାଘା ସୀମାରେ ବାୟୁସେନାର ଏୟାର ଭାଇସ୍‌ ମାର୍ସାଲ ଆର୍‌ଜିକେ କପୁର ଓ ଅନ୍ୟ ବରିଷ୍ଠ ଅଧିକାରୀ ବହୁ ଆଗରୁ ଆସି ପହଞ୍ଚିଥିଲେ । ଚେନ୍ନାଇରୁ ଆସିଥିବା ତାଙ୍କ ବାପାମାଆ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ।