ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ’ ଟିପ୍ପଣୀ ଉପରେ ଉଚିତ ଜବାବ ଦିଆଯିବା ଜରୁରି। ମନ୍ତ୍ରୀମାନଙ୍କୁ ମୋଦୀ କହିଛନ୍ତି, ତଥ୍ୟ ସହ ସନାତନ ଧର୍ମ ଉପରେ ହେଉଥିବା ଆକ୍ରମଣ ବିରୋଧରେ ଜବାବ ଦିଅ। ସେହିପରି ଇଣ୍ଡିଆ ବନାମ ଭାରତ ବିବାଦ ସଂକ୍ରାନ୍ତରେ କୌଣସି ଟିପ୍ପଣୀ ନରଖିବା ପାଇଁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। କେବଳ ଯେଉଁମାନଙ୍କୁ ଉକ୍ତ ପ୍ରସଙ୍ଗରେ କହିବାର କ୍ଷମତା ମିଳିଛି ସେମାନେ ହିଁ ଉକ୍ତ ପ୍ରସଙ୍ଗରେ କହିବେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଇତିହାସ ଭିତରକୁ ଯାଅନାହିଁ। ସମ୍ବିଧାନ ଆଧାରରେ ତଥ୍ୟ ଓ ଜବାବ ରଖିବାକୁ ହେବ। ଉଲ୍ଲେଖଯୋଗ୍ୟ, ଉଦୟନିଧିଙ୍କ ସନାତନ ଧର୍ମ ଟିପ୍ପଣୀ ପାଇଁ ପ୍ରବଳ ବିବାଦ ହୋଇଛି। ଅନେକ ବିଜେପି ନେତା ଏବଂ ହିନ୍ଦୁ ସନ୍ଥ ଷ୍ଟାଲିନଙ୍କ ଟିପ୍ପଣୀ ପାଇଁ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଡିଏମ୍‌କେ ନେତା ଦେଶବାସୀଙ୍କୁ କ୍ଷମା ମାଗିବାକୁ ବିଜେପି ଦାବି କରିଛି।। କିନ୍ତୁ ବିବାଦ ସତ୍ତ୍ବେ ଉଦୟନିଧି କହିଛନ୍ତି, ସେ ତାଙ୍କ ଟିପ୍ପଣୀକୁ ବାରମ୍ବାର ଦୋହରାଇବେ। ଇତିମଧ୍ୟରେ ବିଜେପି ନେତାମାନେ ଉଦୟନିଧିଙ୍କ ଟିପ୍ପଣୀ ପାଇଁ ଇଣ୍ଡିଆ ମେଣ୍ଟକୁ ଦାୟୀ କରିଛନ୍ତି। ଯୋଜନାବଦ୍ଧ ଭାବେ ଇଣ୍ଡିଆ ମେଣ୍ଟ ନେତାମାନେ ହିନ୍ଦୁ ବିରୋଧୀ ବୟାନ ଦେଉଥିବା ଅଭିଯୋଗ ହୋଇଛି।