‘ରାଷ୍ଟ୍ରବାଦ’ ଶବ୍ଦ ବ୍ୟବହାର ନ କରିବାକୁ ମୋହନ ଭାଗବତଙ୍କ ପରାମର୍ଶ

ରାଞ୍ଚି : ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ‘ରାଷ୍ଟ୍ରବାଦ’ ଶବ୍ଦର ବ୍ୟବହାର ନ କରିବାକୁ ଆରଏସଏସ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ରାଞ୍ଚିସ୍ଥିତ ଶ୍ୟାମ ପ୍ରସାଦ ମୁଖାର୍ଜୀ ବିଶ୍ବବିଦ୍ୟାଳୟରେ ଆର୍‌ଏସ୍‌ଏସ୍‌ର ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୋହନ ଭାଗବତ ‘ରାଷ୍ଟ୍ରବାଦ’ ଶବ୍ଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରାଷ୍ଟ୍ରବାଦର କଥା ଉଠିଲେ ସାଧାରଣରେ ହିଟ୍‌ଲର ଓ ତାଙ୍କ ଫାସିବାଦର କଥା ମନକୁ ଆସିଥାଏ। ହିଟଲର ଏବଂ ଫାସିବାଦ ପ୍ରତି ସମଗ୍ର ବିଶ୍ବରେ ଏକ ଘୃଣାଭାବ ରହିଛି। ଭାଗବତ ଥରେ ବ୍ରିଟେନ୍‌ ଗସ୍ତରେ ଯାଇଥିବାବେଳେ କେତେଜଣ ସଂଘ କାର୍ଯ୍ୟକର୍ତ୍ତା ତାଙ୍କୁ ଏ ନେଇ ସଚେତନ କରାଇଥିଲେ। ଇଂଲଣ୍ଡର ଲୋକେ ‘ରାଷ୍ଟ୍ରବାଦ’ର ଅର୍ଥ ‘ଫାସିବାଦ’ ଓ ‘ହିଟ୍‌ଲର’ଙ୍କୁ ବୁଝନ୍ତି ବୋଲି ବ୍ରିଟେନ୍‌ରେ ସଂଘର କାର୍ଯ୍ୟକର୍ତ୍ତା କହିବା ପରେ ତାଙ୍କର ଏ ସମ୍ପର୍କରେ ହୃଦ୍‌ବୋଧ ହୋଇଥିଲା ବୋଲି ମୋହନ ଭାଗବତ କହିଛନ୍ତି। ଭାରତ ‘ବସୁଧୈବ କୁଟୁମ୍ବକମ୍‌’ (ସମଗ୍ର ବିଶ୍ବ ଏକ ପରିବାର)ରେ ବିଶ୍ବାସ କରେ। ହିନ୍ଦୁ ଧର୍ମ ସମଗ୍ର ବିଶ୍ବକୁ ଏହି ବାର୍ତ୍ତା ଦେଇଛି। ଏଣୁ ନିଜକୁ ହିନ୍ଦୁ ରାଷ୍ଟ୍ରବାଦ ମଧ୍ୟରେ ସୀମିତ ନ ରଖି ସମଗ୍ର ବିଶ୍ବର ମଙ୍ଗଳ ଚିନ୍ତା କରିବାକୁ ଭାଗବତ ସଂଘର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର