ମୁମ୍ବାଇ/ଅହମଦାବାଦ: ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ରାଜ୍ୟରେ ବିପଜ୍ଜନକ ସ୍ଥିତି ଉପୁଜିଥିବା ବେଳେ ମହାରାଷ୍ଟ୍ରର ବିଭିନ୍ନ ଅଂଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମୁମ୍ବାଇ ଏବଂ ପୁଣେରେ ବର୍ଷା କମିଥିଲେ ମଧ୍ୟ ଜଳବନ୍ଦୀ ସ୍ଥିତି ଏବଂ ବର୍ଷାଜନିତ ବିପର୍ଯ୍ୟୟରୁ ଲୋକଙ୍କୁ ନିସ୍ତାର ମିଳିନାହିଁ। ଆଜି ନାଭି ମୁମ୍ବାଇରେ ଏକ ଅଘଟଣ ଘଟିଯାଇଛି। ଶାହବାଜ୍ ଅଂଚଳରେ ଏକ ୩ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ୩ ଜଣଙ୍କର ମୃତ୍ୟୁ ହୋଇଛି। ଭଗ୍ନ କୋଠାତଳୁ ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି କିଛି ଲୋକ ଫସି ରହିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଏହି କୋଠା ଭୁଶୁଡ଼ି ପଡ଼ିଥିଲା। ମିଳିଥିବା ସୂଚନାନୁଯାୟୀ ଏହି ୩ ମହଲା କୋଠାରେ ୨୪ଟି ପରିବାର ରହୁଥିଲେ।
ଅନ୍ୟପକ୍ଷେ ଉତ୍ତରାଖଣ୍ଡର ତେହରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି ଏବଂ ଅନେକ ଘର ଭସାଇ ନେଇଛି। ଭୂସ୍ଖଳନ ଯୋଗୁଁ ଜଣେ ୪୨ ବର୍ଷୀୟା ମହିଳା ଏବଂ ତାଙ୍କ ଝିଅଙ୍କର ମୃତ୍ୟୁ ହୋଇଯାଇଛି। ଟୋଲି ଗ୍ରାମର ସରିତା ଦେବୀ ଏବଂ ତାଙ୍କ ୧୫ ବର୍ଷୀୟା ଝିଅ ଅଙ୍କିତା ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ପ୍ରାଣ ହରାଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଅଧିକାରୀମାନଙ୍କୁ ସତର୍କତା ଅବଲମ୍ବନ କରିବାପାଇଁ କହିଛନ୍ତି। ସେହିପରି ଗୁଜରାଟରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ରାଜ୍ୟର କିଛି ଅଂଶରେ ବନ୍ୟା ସ୍ଥିତି ସୃଷ୍ଟି କରିଛି। ଦକ୍ଷିଣ ଗୁଜରାଟ ଏବଂ ସୌରାଷ୍ଟ୍ର ଅଞ୍ଚଳରେ ପ୍ରାୟ ୨୫୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି ଏବଂ ୧୮ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ତେବେ ଗୁଜରାଟରେ ଜୁନ୍ ୧୫ ପରଠାରୁ ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ୬୫ ଜଣଙ୍କର ମୃତ୍ୟୁ ହେଲାଣି। ଜୁଲାଇ ୨୪-୨୫ରେ ବର୍ଷାଜନିତ କାରଣ ପାଇଁ ସର୍ବାଧିକ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା।