ଅମୃତସର ଆତଙ୍କବାଦୀ ଘଟଣାର ମୁଖ୍ୟ ଅଭିଯୁକ୍ତ ଅବତାର ସିଂ ଗିରଫ

ଚଣ୍ଡୀଗଡ : ପଂଜାବର ଅମୃତସରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଅବତାର ସିଂକୁ ଆଜି ପଂଜାବ ପୁଲିସ ଗିରଫ କରିଛି । ପଂଜାବର ପୁଲିସ ଡିଜି ସୁରେଶ ଆରୋରା କହିଛନ୍ତି ଯେ ଅବତାର ସିଂ ହିଁ ଭକ୍ତ ମାନଙ୍କ ଉପରକୁ ଗ୍ରେନେଡ ଫିଙ୍ଗିଥିଲା । ଏହି ବ୍ୟକ୍ତି ପାକିସ୍ତାନର ଏକ ବ୍ୟକ୍ତି ଜାଭେଦ ଓ ଇଟାଲୀରେ ରହୁଥିବା ଖଲିସ୍ତାନୀ ସମର୍ଥକ ପରମଜିତ ସିଂ ବାଓ୍ଵା ସଂପର୍କରେ ଥିଲା ବୋଲି ଜଣାପଡିଛି । ତା ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋର ଜବତ ହୋଇଛି ବୋଲି ସେ କହିଛନ୍ତି ।

ପୂର୍ବରୁ ଏହି ଘଟଣାରେ ସଂପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ଗିରଫ କରାଯାଇଥିଲା । ତାହାର ନାଁ ହେଉଛି ବିକ୍ରମଜିତ ସିଂ (୨୬) । ଏହି ଘଟଣାରେ ପାକିସ୍ତାନର ହାତ ଅଛି ବୋଲି ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଗତ ମଙ୍ଗଳବାରଦିନ ସୂଚନା ଦେଇଥିଲେ । ଏହି ଘଟଣାରେ ବ୍ୟବହୃତ ଗ୍ରେନେଡ ପାକିସ୍ତାନରୁ ଆସିଥିଲା ବୋଲି ସେ କହିଥିଲେ । ସେ କହିଥିଲେ ଯେ ଏହା ଏକ ଆତଙ୍କବାଦୀ କାଣ୍ଡ ଓ ଏଥିରେ କୌଣସି ଧର୍ମୀୟ ଦୃଷ୍ଟିକୋଣ ନାହିଁ । ନିରଙ୍କାରୀ ଆଶ୍ରମରେ ହୋଇଥିବା ଏହି ଆକ୍ରମଣରେ ୩ ନିହତ ହେବା ସହ ୨୦ ଆହତ ହୋଇଥିଲେ ।

ସମ୍ବନ୍ଧିତ ଖବର