ନୂଆଦିଲ୍ଲୀ: ଏଆଇଏମ୍‌ଆଇଏମ୍‌ ସଭାପତି ଅସ‌ଉଦ୍ଦିନ ଅୱେସି ଆଜି ଅଷ୍ଟାଦଶ ଲୋକସଭାରେ ଜଣେ ସାଂସଦ ଭାବେ ଶପଥ ନେବା ସମୟରେ ‘ଜୟ ପାଲେଷ୍ଟାଇନ’ ସ୍ଲୋଗାନ ଦେଇ ବଡ଼ ବିବାଦ ସୃଷ୍ଟି କରିଛନ୍ତି। ଅୱେସି ଆଜି ସଂସଦରେ ଉର୍ଦ୍ଦୁରେ ଶପଥ ନେଇଥିଲେ ଏବଂ ସେ ତାଙ୍କ ଶପଥ ‘ଜୟ ଭୀମ, ଜୟ ତେଲେଙ୍ଗାନା ଏବଂ ଜୟ ପାଲେଷ୍ଟାଇନ୍‌’ କହି ଶେଷ କରିଥିଲେ। ଅୱେସି ଶପଥ ସମୟରେ ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ‘ଜୟ ପାଲେଷ୍ଟାଇନ୍‌’ କହିବାକୁ ଏନ୍‌ଡିଏ ସାଂସଦମାନେ କଡ଼ା ବିରୋଧ କରିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ରାଧା ମୋହନ ସିଂହ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ବିବାଦୀୟ ସ୍ଲୋଗାନକୁ ସରକାରୀ ରେକର୍ଡରୁ କାଟି ଦିଆ‌ଯିବ। କିନ୍ତୁ ଏହାସତ୍ତ୍ବେ ବିଜେପି ସାଂସଦମାବେ ଏହି ପ୍ରସଙ୍ଗକୁ ନେଇ ହୋହଲ୍ଲା ଜାରି ରଖିଥିଲେ।

Advertisment

କେନ୍ଦ୍ର ମନ୍ତ୍ରୀ ଜି କିଷନ ରେଡ୍ଡି କହିଛନ୍ତି ଯେ ଅୱେସୀଙ୍କ ଅାଚରଣ ଅତ୍ୟନ୍ତ ନିନ୍ଦନୀୟ। ଭାରତରେ ରହି ମଧ୍ୟ ସେ ‘ଭାରତ ମାତା କୀ ଜୟ’ କହୁନାହାନ୍ତି। ଲୋକମାନେ ଏହା ବୁଝିବା ଉଚିତ ଯେ ସେ ଦେଶରେ ରହି ଅସାମ୍ବିଧାନିକ କାମ କରୁଛନ୍ତି। ଆଜି ବରେଲିର ବିଜେପି ସାଂସଦ ଛତ୍ରପତି ସିଂହ ଗଙ୍ଗୱର ‘ଜୟ ହିନ୍ଦୁ ରାଷ୍ଟ୍ର, ଜୟ ଭାରତ’ ସ୍ଲୋଗାନ ଦେଇଥିବା ବ‌େଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ‘ ଜୟ ସମ୍ବିଧାନ, ଜୟ ଭାରତ’ ସ୍ଲୋଗାନ ଦେଇ ତାଙ୍କ ଶପଥ ଶେଷ କରିଥିଲେ। ବିଜେପି ନେତ୍ରୀ ଏବଂ ମଥୁରା ସାଂସଦ ହେମା ମାଳିନୀ ‘ଜୟ ଶ୍ରୀକ୍ରୀଷ୍ଣା, ଜୟ ଶ୍ରୀରାଧା ରମଣ ଜୀ, ଜୟ ଭାରତ ମାତା କୀ’ କହି ଶପଥ ଶେଷ କରିଥିଲେ। ଇତି