ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ମେଡିକାଲ ନେଲେ ମିଳିବ ପୁରସ୍କାର

ନୋଏଡା: ପ୍ରାୟତଃ ଯେତେବେଳେ କେହି ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବାର ଦେଖନ୍ତି, ଅଧିକାଂଶ ଲୋକ ଦୁର୍ଘଟଣା ବିଷୟରେ ଆଲୋଚନା କରିବା ପରେ ଚାଲିଯାଆନ୍ତି | ଭାରତରେ ସଡ଼କ ଦୁର୍ଘଟଣା ଯୋଗୁଁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି | ଏହାର ଅନେକ କାରଣ ଥିଲେ ବି ମୁଖ୍ୟ କାରଣ ହେଉଛି ଯେ ଆହତ ବ୍ୟକ୍ତି ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିପାରନ୍ତି ନାହିଁ | ଏହାକୁ ଦୃଷ୍ଟିରେ ରଖି ନୋଏଡା ଟ୍ରାଫିକ୍ ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ମୁତାବକ ଯଦି କୌଣସି ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନେଇଯାଆନ୍ତି, ତେବେ ଟ୍ରାଫିକ ପୁଲିସ ତାଙ୍କୁ ୫ ହଜାର ଟଙ୍କା ପୁରସ୍କାର ଦେବ |

ଟ୍ରାଫିକ ଡିସିପି ଗଣେଶ ସାହାଙ୍କ କହିବା ଅନୁଯାୟୀ ଅଧିକାଂଶ ଲୋକ ଆହତମାନଙ୍କୁ ସାହାଯ୍ୟ କରିବା ଠାରୁ ଦୂରେଇ ରୁହନ୍ତି କାରଣ ସେମାନେ ଭୟ କରନ୍ତି ଯେ ଏହା ପରେ ପୁଲିସ ସେମାନଙ୍କୁ ଅନେକ ପ୍ରଶ୍ନ ପଚାରିବ, ସେଥିପାଇଁ ସଡ଼କ ଦୁର୍ଘଟଣାରେ କେହି ଆହତ ହୋଇଥିବା ଦେଖିଲେ ମଧ୍ୟ ସେମାନେ ସେଠାରୁ ଚାଲିଯାଆନ୍ତି | କିନ୍ତୁ ବର୍ତ୍ତମାନ ଯଦି ଆପଣ କାହାକୁ ସାହାଯ୍ୟ କରନ୍ତି ତେବେ ଆପଣଙ୍କୁ ପୁଲିସର ଜବାବ ଦେବାକୁ ପଡିବ ନାହିଁ |

ପୁଲିସ ଆପଣଙ୍କୁ ସରଳ ପ୍ରଶ୍ନ ପଚାରିବ ଯେପରି ଦୁର୍ଘଟଣାଟି କେଉଁଠାରେ ଘଟିଛି ଏବଂ ଆପଣ ଆଣିଥିବା ବ୍ୟକ୍ତିଙ୍କୁ ଜାଣିଛନ୍ତି କି, ବୋଲି ପଚରାଯିବ | ଟ୍ରାଫିକ୍ ଡିସିପିଙ୍କ କହିବା ଅନୁଯାୟୀ ଯଦି ଆପଣ କାହାକୁ ଆହତ ଅବସ୍ଥାରେ ଦେଖିବେ, ତେବେ ୧୧୨ କୁ କଲ କରିବେ ଓ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନେଇ ଆଡମିଟ କରାଇବେ | ପରେ ଆପଣଙ୍କୁ ପୁରସ୍କାର ରାଶି ମିଳିଯିବ |

ସମ୍ବନ୍ଧିତ ଖବର