ଅଯୋଧ୍ୟା ପଦ୍ମ ପୁରସ୍କୃତଙ୍କ ଅର୍ଜି ଶୁଣିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଅଯୋଧ୍ୟାର ପଦ୍ମ ପୁରସ୍କାରପ୍ରାପ୍ତ ମହମ୍ମଦ ଶରିଫ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ସାହାଯ୍ୟ ପାଇଁ ନିବେଦନ କରି ଏକ ଚିଠି ପଠାଇଥିଲେ, ରାଷ୍ଟ୍ରପତି ଯାହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି କୋବିନ୍ଦଙ୍କ ସଚିବାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଶରିଫଙ୍କ ଜୁଲାଇ ୧୯ ତାରିଖର ଚିଠିକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଠାଇଦିଆଯାଇଛି।

ପ୍ରକାଶ୍ୟ ଯେ, ଦାବିଦାର ନ ଥିବା ୨୫,୦୦୦ରୁ ଅଧିକ ଶବଦାହ ପରି ମାନବିକ କାର୍ଯ୍ୟ କରିଥିବାରୁ ମହମ୍ମଦ ଶରିଫଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଶରିଫ ଉକ୍ତ ଆବେଦନପତ୍ରରେ ଲେଖିଛନ୍ତି ଯେ, ସେ ଯେହେତୁ ମୃତ୍ୟୁଶଯ୍ୟାରେ ଶାୟିତ ପଦ୍ମ ପଦକଟି ତାଙ୍କ ଘରେ ପହଞ୍ଚାଇ ଦିଆଯାଉ, ଯାହାକୁ ସେ ଶେଷ ନିଃଶ୍ବାସ ତ୍ୟାଗ କରିବା ପୂର୍ବରୁ ଦେଖିପାରିବେ। ଏଥି ସହ ସେ ଲେଖିଛନ୍ତି ଯେ ତାଙ୍କ ପରିବାର ଏବେ ଋଣଭାରରେ ବୁଡ଼ିଛି ଏବଂ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗୁଡ଼ୁଛି। ତାଙ୍କୁ କିଛି ଆର୍ଥିକ ସହାୟତା ଦିଆଯାଉ। ଉଲ୍ଲେଖନୀୟ ଯେ, ୮୫ ବର୍ଷୀୟ ଶରିଫଙ୍କୁ ପଦ୍ମ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ କୋଭିଡ୍‌-୧୯ ମହାମାରୀ ଯୋଗୁ ରାଷ୍ଟ୍ରପତି ଭବନରେ ପୁରସ୍କାର ପ୍ରଦାନ ଉତ୍ସବ ସ୍ଥଗିତ ରହିଛି।

ଶରିଫ ଲେଖିଛନ୍ତି ଯେ, ୱାକଫ୍ ଜମିରେ ସେ ଏକ ଦୁଇ କୋଠରିବିଶିଷ୍ଟ ଘରେ ରହୁଛନ୍ତି, ଯାହା ତାଙ୍କ ଯୌଥ ପରିବାର ପାଇଁ ଅତ୍ୟନ୍ତ ଛୋଟ। ପଦ୍ମ ପୁରସ୍କାର ଘୋଷଣା ପରେ ଜିଲ୍ଲା ପ୍ରଶାସନ ତାଙ୍କୁ ଏକ ୮୦ ବର୍ଗଫୁଟ୍‌ର ଘର ମଞ୍ଜୁର କରିଛି, ଯାହା ଆହୁରି ଛୋଟ। ମହାମାରୀ ଯୋଗୁ ତାଙ୍କ ପୁଅ ଚାକିରି ହରାଇଥିବାରୁ ସେ ଏବେ ଅତ୍ୟନ୍ତ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି। ସେ ଋଣରେ ବୁଡ଼ିଛନ୍ତି ଏବଂ ଔଷଧ ପାଇଁ ବି ପଇସା ନାହିଁ। ସେ ସୁସ୍ଥ ଥିବାବେଳେ ଦାବିଦାର ନ ଥିବା ଶବଗୁଡ଼ିକୁ ଦାହ କରୁଥିଲେ, ଏବେ ତାଙ୍କ ବଡ଼ ପୁଅ ସଗିର ସେହି କାମ କରୁଛନ୍ତି। ସେ ସ୍ଥାନୀୟ ବିଧାୟକଙ୍କଠାରୁ ସାହାଯ୍ୟ ଲୋଡ଼ିଥିଲେ, କିନ୍ତୁ କିଛି ମିଳିଲା ନାହିଁ। ତେଣୁ ତାଙ୍କୁ ଗୋଟିଏ ଘର ଓ କିଛି ଆର୍ଥିକ ସାହାଯ୍ୟ ଦେବାକୁ ସେ ରାଷ୍ଟ୍ରପତିଙ୍କୁ ନିବେଦନ କରିଥିଲେ। ତାଙ୍କ ବଡ଼ପୁଅ ମହମ୍ମଦ ସଗିର କହିଛନ୍ତି, ତାଙ୍କ ବାପା ଗୁରୁତର ହୃଦ୍‌ରୋଗରେ ପୀଡ଼ିତ ଏବଂ ତାଙ୍କ ଆଣ୍ଠୁ ଦୁଇଟି ଜାମ୍ ହୋଇଯିବାରୁ ସେ ଚାଲିପାରୁ ନାହାନ୍ତି। ତାଙ୍କର ତୁରନ୍ତ ହାର୍ଟ ସର୍ଜରୀ ସହ ଆଣ୍ଠୁର ଅସ୍ତ୍ରୋପଚାର ଦରକାର। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟରୁ ଜଣେ ବରିଷ୍ଠ ଅଫିସର କହିଛନ୍ତି ଯେ, ରାଷ୍ଟ୍ରପତି ଫରୱାର୍ଡ କରିଥିବା ଚିଠି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଛି। ଯେତେ ଶୀଘ୍ର ସମ୍ଭବ ମହମ୍ମଦ ଶରିଫଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର