ଦେଶରେ ଅଙ୍ଗଦାନ ବିଷୟରେ ସଚେତନତା ବୃଦ୍ଧି ପାଉଛି: ‘ମନ୍‌ କୀ ବାତ୍‌’ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦେଶରେ ଅଙ୍ଗଦାନ ବିଷୟରେ ଜନସଚେତନତା ବୃଦ୍ଧି ପାଉଛି ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୯୯ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଧୁନିକ ଡାକ୍ତରୀ ବିଜ୍ଞାନରେ ଜଣକୁ ଜୀବନ ଦାନ କରିବାରେ ଅଙ୍ଗଦାନ ଅତି ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ହୋଇପାରିଛି। କଥିତ ଅଛି ଯେ, ମୃତ୍ୟୁ ପରେ ଜଣେ ବ୍ୟକ୍ତି ତାଙ୍କର ଶବଦାନ କରିବାଦ୍ବାରା ୮/୯ଜଣ ଲୋକ ନୂତନ ଜୀବନ ପାଇଯାଆନ୍ତି। ଅଙ୍ଗଗ୍ରହୀତାମାନେ ଅଙ୍ଗଦାତାଙ୍କୁ ଈଶ୍ବର ମଣନ୍ତି।

୨୦୧୩ରେ ଦେଶରେ ୫୦୦୦ରୁ କମ୍‌ ଅଙ୍ଗଦାନ କରାଯାଇଥିଲା। କିନ୍ତୁ, ୨୦୨୨ରେ ଏହା ୧୫,୦୦୦କୁ ବୃଦ୍ଧି ପାଇଛି। ଆତ୍ମସନ୍ତୋଷର କଥା ଏହିକି ଯେ, ଦେଶରେ ଅଙ୍ଗଦାନ ପ୍ରତି ଜନସଚେତନତା ବୃଦ୍ଧି ପାଉଛି।

ଆଜି ଏକ ନୂତନ ଦୃଷ୍ଟିକୋଣରୁ ଆବିର୍ଭାବ ହେଉଥିବା ଭାରତର ଭବିଷ୍ୟତ କ୍ଷେତ୍ରରେ ମହିଳା ଶକ୍ତିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ପ୍ରଯୋଜକ ଗୁନୀତ୍‌ ମୋଙ୍ଗା ଏବଂ ନିର୍ଦେଶିକା କାର୍ତିକୀ ଗନ୍‌ସାଲ୍‌ବେସ୍‌ ପ୍ରାମାଣିକ ଚଳଚ୍ଚିତ୍ର ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍‌ସ୍ପର୍‌ସ୍‌’ ପାଇଁ ‘ଓସ୍କାର୍‌’ ଜିଣି ଦେଶକୁ ଗୌରବାନ୍ବିତ କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଭାରତର ୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ୍‌ ଟିମ୍‌ ‘ଟି-୨୦ ବିଶ୍ବକପ୍‌’ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Image Courtesy of Deccan Herald

ଭାରତର ନାରୀ ଶକ୍ତି ସର୍ବାଗ୍ରେ ନେତୃତ୍ବ ଗ୍ରହଣ କରୁଛି। ନାଗାଲାଣ୍ଡ୍‌ରେ ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନିର୍ବାଚନରେ ବିଜୟୀ ହୋଇ ୨ଜଣ ମହିଳା ବିଧାୟିକା ବିଧାନସଭାରେ ପହଞ୍ଚି ପାରିଛନ୍ତି। ଜାତିସଂଘର ଶାନ୍ତିରକ୍ଷା ସେନାରେ ମଧ୍ୟ ଭାରତ କେବଳ ମହିଳା ପ୍ଲାଟୁନ୍‌ ମୁତୟନ କରିଛି। ମହିଳାମାନେ ସବୁ କ୍ଷେତ୍ରରେ ସାମର୍ଥ୍ୟ ପ୍ରତିପାଦନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହାଛଡ଼ା, ‘ଭାବା ଆଟୋମିକ୍‌ ରିସର୍ଚ ସେଣ୍ଟର୍‌’ର ମହିଳା ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କ କୃତ୍ବିତ୍ବ ବିଷୟରେ ବି ପ୍ରଧାନମନ୍ତ୍ରୀ କହିଛନ୍ତି। ଜ୍ୟୋତିର୍ମୟୀ ‘କେମିଷ୍ଟ୍ରି’ ଏବଂ ‘କେମିକାଲ୍‌ ଇଞ୍ଜିନିୟରିଙ୍ଗ୍‌’ କ୍ଷେତ୍ରରେ ‘ଆଇୟୁପିଏସି’ର ବିଶେଷ ପୁରସ୍କାର ପାଇଛନ୍ତି।

ନିକଟ ଅତୀତରେ ‘ବନ୍ଦେ ଭାରତ ଟ୍ରେନ୍‌’ ଚଳାଇଥିବା ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ୍‌ ସୁରେଖା ଯାଦବ ଏବଂ ସିଆଚେନ୍‌ରେ ମୁତୟନ ହୋଇଥିବା ପ୍ରଥମ ମହିଳା ଅଧିକାରୀ କ୍ୟାପ୍ଟେନ୍‌ ଶିବା ଚୌହାନଙ୍କ କଥା ବି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ସୌରଶକ୍ତି କ୍ଷେତ୍ରରେ ଭାରତ ଯେଉଁ ବେଗରେ ଅଗ୍ରଗତି କରୁଛି ତାହା ବଡ଼ କୃତ୍ବିତ୍ବର କଥା। ‘ସବ୍‌କା ପ୍ରୟାସ୍’ର ଉଚ୍ଛ୍ବାସ ଆଜି ଭାରତର ସୌରଶକ୍ତି ଅଭିଯାନକୁ ଅଗ୍ରସର କରାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏପ୍ରିଲ୍‌ ୩୦ ତାରିଖରେ ପ୍ରସାରିତ ହେବାକୁ ଥିବା ‘ମନ୍‌ କୀ ବାତ୍‌’ର ୧୦୦ତମ ସଂସ୍କରଣ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ମତାମତ ଓ ଚିନ୍ତନ ଦେବାକୁ କହିଛନ୍ତି।

କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଲେ ଯେ, ଦେଶର ଅଳ୍ପ କେତେକ ପ୍ରାନ୍ତରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଛି। ତେଣୁ, ଲୋକେ ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେଇ ସାବଧାନ ରହିବା ଉଚିତ।

ସମ୍ବନ୍ଧିତ ଖବର