ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ଲକ୍ଷ୍ୟ ହାସଲ କରିପାରୁନାହାନ୍ତି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ। ଏଥି ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଏହି ମର୍ମରେ ଓଡ଼ିଶା ସମେତ ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ପତ୍ର ଲେଖାଯାଇଛି। ପତ୍ରରେ ଉଲ୍ଲେଖ କରାଯାଇଛି ଗତ ମାସ ୩୧ ସୁଦ୍ଧା ରାଜ୍ୟମାନଙ୍କୁ ଦିଆଯାଇଥିବା ଆବାସ ନିର୍ମାଣ ଟାର୍ଗେଟ୍ ହାସଲ କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଚଳିତ ମାସ ପହିଲା ସୁଦ୍ଧା ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କରେ ୧୧.୧୮ ଲକ୍ଷ ଆବାସ ମଂଜୁର ହୋଇନାହିଁ। ଧାର୍ଯ୍ୟ ୨,୯୪,୧୪,୫୫୩ ଆବାସ ମଧ୍ୟରୁ ୨,୮୨,୯୫,୬୧୮ଟିର ନିର୍ମାଣ ପାଇଁ ମଂଜୁରି ଦିଆଯାଇଛି।
ପତ୍ରରେ ଓଡ଼ିଶା ସଂପର୍କରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟରେ ଗ୍ରାମୀଣ ଆବାସ ଯୋଜନାରେ ୨୬,୯୫,୮୩୭ଟି ଆବାସ ନିର୍ମାଣର ଲକ୍ଷ୍ୟ ରଖାଯାଇଥିବା ବେଳେ ୨୬,୪୪,୨୦୨ଟିର ନିର୍ମାଣ ପାଇଁ ମଞ୍ଜୁରି ଦିଆଯାଇଛି। ୫୧ ହଜାର ୬୩୫ଟି ଆବାସ ନିର୍ମାଣ ପାଇଁ ମଞ୍ଜୁରି ଦିଆଯାଇନି। ସଂଖ୍ୟା ଦୃଷ୍ଟିରୁ ବିହାର, କର୍ଣ୍ଣାଟକ, ଛତିଶଗଡ଼, ଗୁଜରାଟ ଓ ଆସାମରେ ଧାର୍ଯ୍ୟ ଳକ୍ଷ୍ୟର ସର୍ବାଧିକ ଆବାସ ନିର୍ମାଣ ପାଇଁ ମଞ୍ଜୁରି ଦିଆଯାଇନି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହାର ସମୟ ସୀମାକୁ ଫେବ୍ରୁଆରି ୧୭କୁ ବୃଦ୍ଧି କରିଛନ୍ତି।
ଲକ୍ଷ୍ୟ ହାସଲ ପାଇଁ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବମାନଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ କୁହାଯାଇଛି। ଏହି ଯୋଜନାରେ ମାର୍ଚ ୩୧,୨୦୨୩ ସୁଦ୍ଧା ୨.୩୮ କୋଟି ଆବାସ ନିର୍ମାଣ କରିବା ଲକ୍ଷ୍ୟ ରହିଛି। ରାଜ୍ୟମାନଙ୍କୁ ଲେଖାଯାଇଥିବା ପତ୍ରରେ ଯୋଜନାର ଭୂମିହୀନ ହିତାଧିକାରୀଙ୍କୁ ଜମି ଯୋଗାଇ ଦେବାପାଇଁ ମଧ୍ୟ କୁହାଯାଇଛି। ଭୂମିହୀନ ହିତାଧିକାରୀଙ୍କୁ ମାର୍ଚ ୩୧ ସୁଦ୍ଧା ଜମିର ବ୍ୟବସ୍ଥା ସହ ଆବାସ ମଞ୍ଜୁର କରାଇବା ଧାର୍ଯ୍ୟ ସମୟ ପାଳନ କରିବା ପାଇଁ କୁହାଯାଇଛି। ଏହା ପୂର୍ବରୁ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଗତ ବର୍ଷ ଡିସେମ୍ବର ୧୫ ସୁଦ୍ଧା ଭୂମିହୀନ ହିତାଧିକାରୀମାନଙ୍କୁ ଜମି ଉପଲବ୍ଧ କରାନଗଲେ ସମ୍ବନ୍ଧିତ ରାଜ୍ୟମାନଙ୍କ ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟକୁ ପ୍ରତ୍ୟାହାର କରି ଉତ୍ତମ ପ୍ରଦର୍ଶନ କରୁଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କୁ ଆବଣ୍ଟନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।