କେଁ ପୂରାଇଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ, ନବୀନ ସ୍ୱଚ୍ଛତାର ପ୍ରତିଶ୍ରୁତି ଦେଲେ ମିଳିବ ପିଏମ୍ ଆବାସ

ନୂଆଦିଲ୍ଲୀ : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତା ହୋଇଛି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଆଦୌ ସ୍ବଚ୍ଛତା ନାହିଁ। ପାରଦର୍ଶିତା ସହ ଯୋଜନାର କ୍ରିୟାନ୍ବୟନ ରାଜ୍ୟ ସରକାର କରିନଥିବାରୁ ‌ଅନେକ ହିତାଧିକାରୀ ଆବାସ ପାଇ ନାହାନ୍ତି। ଗୁରୁବାର ଦିନ ଦିଲ୍ଲୀର କୃଷି ଭବନରେ ରାଜ୍ୟ ସରକାରଙ୍କର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସହ ବୈଠକ କରିବା ସମୟରେ ଏମିତି କଡା ଟିପ୍ପଣୀ ଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗରିରାଜ ସିଂହ। ଗିରିରାଜ କହିଥିଲେ ଯେ କେନ୍ଦ୍ରର ତଥ୍ୟ ଅନୁସନ୍ଧାନକାରୀ ଦଳ ଅ‌ନିୟମିତାର ଅନେକ ତ୍ରୁଟି ଧରିଛି। ରାଜ୍ୟକୁ ଫନି ବାତ୍ୟା ପରେ ଦିଆଯାଇଥିବା ଘର ମଧ୍ୟରୁ ୩୭%ରେ ବିଭ୍ରାଟ ରହିଛି। ଏଥିରେ ଘର ଜଣକ ନାମରେ ଦିଆଯାଇଥିବା ବେଳେ ଖାତା ଅନ୍ୟ କାହା ନାମରେ ରହିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇ ଆହୁରି କହିଛନ୍ତି ଯେ ସ୍ବଛତା ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ଯାଇ ବାକି ଘର ମଂଜୁର ହେବ। ସେ ପୁଣି କହିଥିଲେ ଯେ ଆଜିର ବୈଠକର ନିଷ୍ପତ୍ତି ସଂପର୍କରେ ରାଜ୍ୟ ମନ୍ତ୍ରୀ ଯାଇ ମୁଖ୍ୟମନ୍ତ୍ରୀଙ୍କୁ କହିବେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଠୋସ୍ ପ୍ରତିଶ୍ରୁତି ମିଳିବା ପରେ ଯାଇ ଘର ଦିଆଯିବ। ଅର୍ଥାତ୍ ସ୍ବଚ୍ଛତା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ବାକି ୮ ଲକ୍ଷ ଘର ମଂଜୁର କରାଯିବ। ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରୁ ବାଦ ଦେବା ପାଇଁ ସେ ରାଜ୍ୟର ମନ୍ତ୍ରୀଙ୍କୁ କହିଥିଲେ।

ସେହିଭଳି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନା ଲୋଗରେ ଲାଗିରହିଥିବା ବିବାଦରେ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେବଳ ଭାରତ ସରକାରଙ୍କର ଲୋଗୋ ଲଗାଯିବ। ଆବାସ ପ୍ଲସ ପୋର୍ଟାଲରେ ସଠିକ ତଥ୍ୟ ପ୍ରଦାନ କରିବା, ଯୋଜନାର ତଦାରଖ ଏବଂ ଅନିମିୟତାରେ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ରମନ୍ତ୍ରୀ କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତଭାବେ ପଦକ୍ଷେପ ନେଲେ ରାଜ୍ୟର ସମସ୍ତ ହିତାଧିକାରୀମାନଙ୍କୁ ମୁଣ୍ଡ ଉପରକୁ ଛାତ ମିଳିପାରିବ ବୋଲି ସେ କହିଥିଲେ।

ଅନ୍ୟପକ୍ଷେ ରାଜ୍ୟର ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ସ୍ବଛତା ରଖା ଯାଇଛି। ଅନିୟମିତତା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସବୁ ଘ‌ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗ ଲଗାଯାଇଛି।ଏଥିରେ ତିଳେମାତ୍ର ଦ୍ବନ୍ଦ୍ବ ନାହିଁ ବୋଲି ସେ କେନ୍ଦ୍ର ମନ୍ତ୍ରୀଙ୍କୁ ଜଣାଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ମିଳିତଭାବେ ସ୍ବଚ୍ଛତାର ସହ ‌ଯୋଜନାର କ୍ରିୟାନ୍ବୟନ କରିବେ ବୋଲି ସେ ବୈଠକରେ କହିଥିଲେ।

ସମ୍ବନ୍ଧିତ ଖବର