ଦିଲ୍ଲୀରେ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ଆବାସ ଆଲୋଚନା, ୧୦ଲକ୍ଷ ଘର ପାଇଁ ବାଟ ଫିଟୁଛି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଚାଲିଥିବା କଳିର ଆଜି ଏକପ୍ରକାରର ସମାଧାନ ହୋଇଛି। ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ଓ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏନେଇ ବାଟ ଫିଟିଛି। ଆବାସ ଯୋଜନା ପୋର୍ଟାଲରେ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କ ନାମ ଯୋଡ଼ିବା ନେଇ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ସବୁ ପ୍ରକାରର ସହଯୋଗ କରିବ ବୋଲି ବିଭାଗୀୟ ମନ୍ତ୍ରୀ ଗିରିରାଜ ସିଂହ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଖୁବ୍ ଶୀଘ୍ର ରାଜ୍ୟରେ ପିଏମ୍‌ ଆବାସ ଯୋଜନାରେ ୧୦ଲକ୍ଷ ଘର ନିର୍ମାଣ କରାଯିବ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସୂଚନା ଅନୁଯାୟୀ, ୨୦୧୮ରେ ଆବାସ ପ୍ଲସ ପୋର୍ଟାଲ ଖୋଳାଯାଇଥିବା ବେଳେ ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କ ସଠିକ୍ ତାଲିକା ପ୍ରଦାନ କରିପାରିନଥିଲେ । ପରବର୍ତ୍ତୀ ସମୟରେ ଫନି ବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ତା’ ପରେ ମଧ୍ୟ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ତାଲିକାରେ ତ୍ରୁଟି ଦେଖାଯିବା ସହ ଘର ନିର୍ମାଣରେ ଅନିୟମିତତା ଅଭିଯୋଗ ଆସିଥିଲା। କେନ୍ଦ୍ର ସରକାର ମଧ୍ୟ ଏ ଦିଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଆଜି ଏ ସବୁ ବିଷୟକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାର ଟଙ୍କା ପଠାଉଥିଲେ ମଧ୍ୟ ପିଏମ୍‌ ଆବାସ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏପରିକି ଆବାସ ପ୍ଲସ୍‌ ପୋର୍ଟାଲରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନିଜସ୍ୱ ଜିଲ୍ଲାରେ କୌଣସି ଗୃହ ଆବଣ୍ଟନ କରାଯାଇନାହିଁ। ପିଏମ୍‌ ଆବାସ ଯୋଜନା ଅନ୍ତର୍ଗତ ନାମାଙ୍କନ ପ୍ରକ୍ରିୟା ଠାରୁ ଆରମ୍ଭ କରି ଯୋଗ୍ୟ ହିତାଧିକାରୀ ଚୟନ, ଅନ୍ୟାନ୍ୟ ଅାନୁଷଙ୍ଗିକ ପ୍ରକ୍ରିୟା ତଥା ସ୍ୱଚ୍ଛ ଓ ପାରଦର୍ଶୀ ଉପାୟରେ ଏହି ଯୋଜନାର କ୍ରିୟାନ୍ୱୟନ ସହ ନିର୍ମାଣାଧୀନ ଘରକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦିଗରେ ଏହି ବୈଠକରେ ଆଲୋଚନା ହୋଇଛି।

ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ, ପିଏମ୍‌ ଆବାସ ଯୋଜନା ପୋର୍ଟାଲରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ପ୍ରାୟ ୮ ଲକ୍ଷ ଘର ଯୋଡ଼ାଯିବ। ଏହା ବ୍ୟତୀତ ଫନିରେ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଲକ୍ଷାଧିକ ଘର ପ୍ରଦାନ କରାଯିବ। ଏସବୁକୁ ମିଶାଇଲେ ଆଗାମୀ ଦିନରେ ଓଡ଼ିଶାରେ ପ୍ରାୟ ୧୦ ଲକ୍ଷ ଘର ନିର୍ମାଣ କରିବାକୁ ‌େଯାଜନା ହୋଇଛି। ଏହି ବୈଠକରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ରାଜ୍ୟ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଆବାସ ପ୍ଲସ ୱିଣ୍ଡୋ ଖୋଲି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଓଡ଼ିଶାକୁ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର