ନୂଆଦିଲ୍ଲୀ :  ବିହାରରେ ଗତକାଲି ଦ୍ବିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ‌ଶେଷ ହେବା ସହ ବୁଥ୍‌ ବାହୁଡ଼ା ମତ ଆସିଥିଲା। ୯ଟି ବୁଥ୍‌ ବାହୁଡ଼ା ମତ ବିହାରରେ ଏନ୍‌ଡିଏର ବଡ଼ ବିଜୟ ହେବ ବୋଲି ଆକଳନ କରିଥିଲା।  ବୁଧବାର ଏକ୍ସିସ ମାଇଁ ଇଣ୍ଡିଆ ଓ ଟୁଡେଜ ଚାଣକ୍ୟ ବୁଥ୍‌ ବାହୁଡ଼ା ମତ ମଧ୍ୟ ଏନ୍‌ଡିଏ ପାଇଁ ବିହାରରେ ସହଜ  ବିଜୟ ଆକଳନ କରିଛି। ଏନ୍‌ଡିଏ ବିହାରରେ ୧୨୧ରୁ ୧୪୧ ଆସନରେ ଜିତିବ ବୋଲି ଏକ୍ସିସ ମାଇଁ ଇଣ୍ଡିଆ ଆକଳନ କରିଛି।   ତେଜସ୍ବୀ ଯାଦବଙ୍କ ନେତୃତ୍ବାଧୀନ ମହାମେଣ୍ଟ ପାଇଁ ଏକ୍ସିସ ୯୮ରୁ ୧୧୮ ଆସନ ଆକଳନ କରିଛି।    ବୁଥ୍‌ ବାହୁଡ଼ା ମତ ଅନୁଯାୟୀ ତେଜସ୍ବୀ ଯାଦବ ବିହାରରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶୀର୍ଷରେ ରହିଛନ୍ତି। 

Advertisment

ଏକ୍ସିସ ମାଇଁ ଇଣ୍ଡିଆ ଏନ୍‌ଡିଏ ପାଇଁ ୪୩ ପ୍ରତିଶତ ଭୋଟ୍‌ ଏବଂ ମହାମେଣ୍ଟ ପାଇଁ ୪୧ ପ୍ରତିଶତ ଭୋଟ୍‌ ଆକଳନ କରିଛି। ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜକୁ ମାତ୍ର ୪ ପ୍ରତିଶତ ଭୋଟ୍‌ ମିଳିବ।  ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ମୁଖ୍ୟମନ୍ତ୍ରୀ ଭାବେ ଭୋଟରଙ୍କ ମଧ୍ୟରେ ସବୁଠାରୁ ପସନ୍ଦ ଚେହେରା। ତାଙ୍କୁ ୩୪ ପ୍ରତିଶତ ଭୋଟର ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି। ଅନ୍ୟପକ୍ଷେ ନୀତୀଶଙ୍କୁ ୨୨ ଏବଂ ବିଜେପିରୁ ଯେକୌଣସି ପ୍ରାର୍ଥୀଙ୍କୁ ୧୪ ପ୍ରତିଶତ ଭୋଟର ପସନ୍ଦ କରିଛନ୍ତି।  ବିହାର ନିର୍ବାଚନରେ  ବିଜେପି ୫୦ରୁ ୫୬ ଆସନ ପାଇବ, ଜେଡିୟୁ ୫୬-୬୨, ‌ଏଲ୍‌ଜେପି (ଆର୍‌ଭି) ୧୧-୧୬, ହାମ୍‌ (ଏସ୍‌) ୨-୩, ଆରଏଲଏମ ୨-୪ ଭୋଟ୍‌ ପାଇବ ବୋଲି ଆକଳନ କରାଯାଇଛି। ସେହିପରି ମହାମେଣ୍ଟରେ ଆର୍‌ଜେଡି ୬୭ରୁ ୭୬, କଂଗ୍ରେସ ୧୭-୨୧, ଭିଆଇପି ୩-୫, ସିପିଆଇ(ଏମଏଲ୍‌) ଏଲ୍‌ ୧୦-୧୪, ସିପିଆଇ ୧-୩ ଏବଂ ସିପିଆଇ(ଏମ୍‌) ୦-୧ ଆସନ ପାଇବ ବୋଲି ଆକଳନ କରାଯାଇଛି।  ଜନ ସୁରାଜ ପାର୍ଟି ଏବଂ ଅସଉଦ୍ଦିନ ଅୱେସିଙ୍କ ଏଆଇଏମ୍‌ଆଇଏମ୍‌ ୦-୨ ଆସନ ପାଇବ ବୋଲି ଏକ୍ସିସ ମାଇଁ ଇଣ୍ଡିଆ ଆକଳନ କରିଛି।    ଅନ୍ୟପକ୍ଷରେ  ଆଜି ପ୍ରକାଶ ପାଇଥିବା ଟୁଡେଜ୍‌ ଚାଣକ୍ୟ ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ ଏନ୍‌ଡିଏ ମେଣ୍ଟ ୧୬୦ ଆସନ ଏବଂ ମହାମେଣ୍ଟ ୭୭ ଆସନ ପାଇପାରେ। ଅନ୍ୟମାନଙ୍କୁ ୬ଟି ଆସନ ମିଳିବ ବୋଲି ସଂସ୍ଥା ଆକଳନ କରିଛି।