ନୂଆଦିଲ୍ଲୀ,: ଅଯୋଧ୍ୟା ମାମଲାରେ କେନ୍ଦ୍ର ସରକାର ବିବାଦମୁକ୍ତ ଜମିକୁ ଏହାର ମୂଳ ମାଲିକଙ୍କୁ ଫେରାଇ ଦେବା ପାଇଁ ସୁପ୍ରିମ୍ କୋର୍ଟରେ ଆବେଦନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ ଅଯୋଧ୍ୟା ମାମଲା ପୁଣି ସରଗରମ ହୋଇଉଠିଛି। କଂଗ୍ରେସ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରି ନିର୍ବାଚନ ପୂର୍ବରୁ ଏଭଳି ପଦକ୍ଷେପ କାହିଁକି ନିଆଗଲା ବୋଲି ପ୍ରଶ୍ନ କରିଛି। ଅଯୋଧ୍ୟା ବିବାଦ ନେଇ ସୁପ୍ରିମ୍ କୋର୍ଟ ଶୁଣାଣିରେ ବିଳମ୍ବ ହେଉଥିବାରୁ ହିନ୍ଦୁ ସଂଗଠନଗୁଡ଼ିକ ସରକାରଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍ କୋର୍ଟରେ କରାଯାଇଥିବା ଆବେଦନରେ ଦର୍ଶାଯାଇଛି ଯେ ୧୯୯୩ରେ ଅଧିଗ୍ରହଣ କରାଯାଇଥିବା ୬୭ ଏକର ଜମିକୁ ବିବାଦମୁକ୍ତ ଦର୍ଶାଯାଇଥିବାରୁ ଏବେ ଏହାକୁ ଫେରାଇବାରେ କୌଣସି ସମସ୍ୟା ନାହିଁ। ଏବେ ସୁପ୍ରିମ୍ କୋର୍ଟ ଏହା ଉପରୁ ସମସ୍ତ କଟକଣା ହଟାଇ ଜମିକୁ ଏହାର ମୂଳ ମାଲିକଙ୍କୁ ଦେବାପାଇଁ କେନ୍ଦ୍ର ସରକାର ଆବେଦନ କରିଛନ୍ତି।
ଆହ୍ଲାବାଦ ହାଇକୋର୍ଟ ୨୦୧୦ରେ ୨.୭୭ ଏକର ଜମିକୁ ହିଁ ବିବାଦୀୟ ଦର୍ଶାଇ ଏହାକୁ ୩ ଭାଗରେ ବାଣ୍ଟି ଦେଇଥିଲେ। ଏବେ କେବଳ ବିବାଦୀୟ ଜମି ଉପରେ ହିଁ ରାୟ ଆସିବାକୁ ଥିବା ବେଳେ ବିବାଦ ନଥିବା ଜମିକୁ ନେଇ ସ୍ଥିତି ଜଟିଳ କରାଯିବା ଉଚିତ ନୁହେଁ ବୋଲି ସରକାର ଯୁକ୍ତି କରିଛନ୍ତି। ଏ ବାବଦ ୬୭ ଏକର ଜମିକୁ ଫେରାଇବାକୁ ଆବେଦନ କରିବା ପରେ ହିନ୍ଦୁ ସଂଗଠନଗୁଡ଼ିକ ଏହାକୁ ସ୍ବାଗତ କରିଥିବା ବେଳେ ମୁସ୍ଲିମ୍ ପକ୍ଷ ବିରୋଧ କରିଛନ୍ତି। ଏହି ୬୭ ଏକର ଜମିରୁ ୪୨ ଏକର ଜମି ରାମ ଜନ୍ମଭୂମି ନ୍ୟାସ ନାମରେ ରହିଛି।
ଆଇନ ଆଧାରରେ ନିଷ୍ପତ୍ତି: ସରକାର
ନୂଆଦିଲ୍ଲୀ,: ଅଯୋଧ୍ୟା ମାମଲାରେ ଅଣ ବିବାଦୀୟ ଜମି ଫେରାଇବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସଂପୂର୍ଣ୍ଣ ସାମ୍ବିଧାନିକ ଏବଂ ଏହା ଏକ ଆଇନଗତ ନିଷ୍ପତ୍ତି ବୋଲି ଆଜି ସରକାର ସ୍ପଷ୍ଟ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ସଂପର୍କରେ ସ୍ଥିତି ସ୍ପଷ୍ଟ କରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି ଯେ ବିବାଦୀୟ ଜମିକୁ ଛାଡ଼ି ଅନ୍ୟ ଜମି ସଂପର୍କରେ ସରକାର ହିଁ ନିଷ୍ପତ୍ତି ନେଇପାରିବେ ବୋଲି ପୂର୍ବରୁ ସୁପ୍ରିମ୍ କୋର୍ଟ ସ୍ପଷ୍ଟ କରିସାରିଛନ୍ତି। ତେଣୁ ଅଣ ବିବାଦୀୟ ଜମି ଉପରେ ଯଥାସ୍ଥିତି କାଏମ ରଖିବା ପାଇଁ ପୂର୍ବରୁ ଦିଆଯାଇଥିବା ଆଦେଶ ବଦଳାଇବାକୁ ଏବେ କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟରେ ଆବେଦନ କରିଥିବା ସେ କହିଛନ୍ତି।
ଏ ବାବଦରେ ରାମ ଜନ୍ମଭୂମି ନ୍ୟାସ ୨୦୦୩ରେ ଆବେଦନ କରିଥିଲେ ମଧ୍ୟ କଂଗ୍ରେସର ୧୦ ବର୍ଷର ଶାସନ କାଳରେ କୌଣସି ପଦକ୍ଷେପ ନିଆଯାଇ ନଥିଲା। କଂଗ୍ରେସ ସରକାର ଭଗବାନ ରାମଙ୍କ ଅସ୍ତିତ୍ବ ନାହିଁ ବୋଲି ଦର୍ଶାଇଥିଲେ ବୋଲି ଜାଭଡ଼େକର କହିଛନ୍ତି। ମନ୍ଦିର ନିର୍ମାଣ ପ୍ରକ୍ରିୟାକୁ ରୋକିବା ପାଇଁ କଂଗ୍ରେସର ନେତାମାନେ ଲଗାତାର ପ୍ରୟାସ କରୁଛନ୍ତି ଏବଂ ସୁପ୍ରିମ୍ କୋର୍ଟରେ କପିଲ ସିବଲ ଏବଂ ଅନ୍ୟ କଂଗ୍ରେସ ଓକିଲଙ୍କ ଆଭିମୁଖ୍ୟ ସଂପର୍କରେ ଦେଶବାସୀ ଅବଗତ ଅଛନ୍ତି ବୋଲି ସେ କହିଛନ୍ତି।