ଅଯୋଧ୍ୟା ବିବାଦ:ଖଣ୍ଡପୀଠରୁ ଓହରିଲେ ଜଷ୍ଟିସ୍‌ ଲଳିତ

ଶୁଣାଣି ୨୯କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟରେ ଆଜି ଅଯୋଧ୍ୟା ମାମଲାର ଶୁଣାଣିରେ ପୁଣି ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଖଣ୍ଡପୀଠକୁ ନେଇ ସମସ୍ୟା ଉପୁଜିବାରୁ ପରବର୍ତ୍ତୀ ଶୁଣାଣି ଜାନୁଆରି ୨୯ରେ ହେବ ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗଇ କହିଛନ୍ତି। ଶୁଣାଣି ପାଇଁ ଗଠିତ ସମ୍ବିଧାନ ପୀଠରେ ସାମିଲ ବିଚାରପତି ୟୁ.ୟୁ ଲଳିତ ଆଜି ଏଥିରୁ ଓହରି ଯାଇଛନ୍ତି। ଫଳରେ ଶୁଣାଣି ଟଳିବା ସହ ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହୋଇଛି। ତେବେ ୨୯ ପୂର୍ବରୁ ନୂଆ ଖଣ୍ଡପୀଠ ସଂପର୍କରେ ଘୋଷଣା ହେବ ବୋଲି ଜଣାପଡ଼ିଛି। ମୁସ୍‌ଲିମ୍‌ ପକ୍ଷର ବରିଷ୍ଠ ଓକିଲ ରାଜୀବ ଧୱନ ଖଣ୍ଡପୀ‌ଠରେ ଜଷ୍ଟିସ ଲଳିତଙ୍କ ସଂପୃକ୍ତିକୁ ବିରୋଧ କରିବାରୁ ସେ ଏଥିରୁ ଓହରି ଯାଇଥିଲେ।

ଗଠନ ହେବ ନୂଆ ଖଣ୍ଡପୀଠ
ପ୍ରଧାନ ବିଚାରପତି ରଂଜନ ଗୋଗୋଇ ଆଜି ଜଷ୍ଟିସ ଲଳିତଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଥିଲେ ଏବଂ ପରବର୍ତ୍ତୀ ଖଣ୍ଡପୀଠ ଗଠନ ପରେ ଜାନୁଆରି ୨୯ରେ ଶୁଣାଣି ହେବ ବୋଲି କହିଥିଲେ। ଜାନୁଆରି ୬ରେ ପ୍ରଧାନ ବିଚାରପତି ଶୁଣାଣି ପାଇଁ ୫ ଜଣିଆ ସମ୍ବିଧାନ ପୀଠ ଗଠନ କରିଥିଲେ। ଏଥିରେ ପ୍ରଧାନ ବିଚାରପତିଙ୍କ ବ୍ୟତୀତ ଜଷ୍ଟିସ ଏସ୍‌.ଏ. ବୋବଡେ, ଜଷ୍ଟିସ୍‌ ଏନ୍‌.ବିରମନ୍ନା, ଜଷ୍ଟିସ ୟୁ.ୟୁ. ଲଳିତ ଏବଂ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ସାମିଲ ଥିଲେ।
୮୮ ଜଣ ସାକ୍ଷ୍ୟ ଦେବେ, ୨୫୭ ଦସ୍ତାବିଜ ଦାଖଲ
ଅଯୋଧ୍ୟା ମାମଲାରେ ଏବେ ୨୫୭ ଦସ୍ତାବିଜ (୧୩,୮୬୦ ପୃଷ୍ଠା) ସୁପ୍ରିମ୍‌ କୋର୍ଟରେ ଦାଖଲ ହୋଇଛି। ହିନ୍ଦୀ, ଆରବୀୟ, ଗୁରୁମୁଖି ଏବଂ ଉର୍ଦୁ ଭାଷାରେ ଲିଖିତ ଏହି ଦସ୍ତାବିଜଗୁଡ଼ିକୁ ଇଂରାଜୀରେ ଅନୁବାଦ କରାଯାଇଛି। ଅଯୋଧ୍ୟା ମାମଲାର ଶୁଣାଣିରେ ବିଳମ୍ବ ହେଉଥିବାରୁ ଏ ନେଇ ଆଜି ରାମ ଜନ୍ମଭୂମି ନ୍ୟାସ ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ କରାଯାଇଛି।

ଜଷ୍ଟିସ ଲଳିତ ଓହରିଲେ କାହିଁକି?
ଅଯୋଧ୍ୟା ସଂପର୍କିତ ଅନ୍ୟ ଏକ ମାମଲାରେ ୟୁ.ୟୁ. ଲଳିତ ଓକିଲ ଭାବେ ୧୯୯୪ରେ ତତ୍କାଳୀନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପକ୍ଷରୁ ମକଦ୍ଦମା ଲଢ଼ିଥିଲେ। ଏହା ଏକ ଅପରାଧିକ ମାମଲା ଥିଲା । ଏହି ପ୍ରସଙ୍ଗ ମୁସଲିମ୍ ପକ୍ଷର ଓକିଲ ଧୱନ ଉଠାଇବା ପରେ ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଅଯୋଧ୍ୟା ସଂପର୍କିତ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣିରୁ ବିଚାରପତି ଲଳିତ ଓହରିଆସିବା ଉଚିତ ବୋଲି ଧୱନ ଯୁକ୍ତି କରିଥିଲେ। ଏହାକୁ ବିରୋଧ କରି ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ କହିଥିଲେ ଯେ ଏଥିରେ କୌଣସି ଫରକ୍‌ ପଡ଼ିବ ନାହିଁ। ଉକ୍ତ ମାମଲା ସଂପୂର୍ଣ୍ଣ ଅଲଗା ଥିଲା ଏବଂ ସେହି ସମୟରେ ଜଣେ ଆଇନଜୀବୀ ଭାବେ ଯାହା କରିବା କଥା ସେ କରିଥିଲେ। ୧୯୯୪ର ଉକ୍ତ ମାମଲା ଅପରାଧିକ ଥିଲା, ତେଣୁ ବର୍ତ୍ତମାନର ମାମଲା ସହିତ ତାହାର ସଂପର୍କ ନାହିଁ ବୋଲି ସାଲ୍‌ଭେ ଯୁକ୍ତି କରିଥିଲେ। ତେବେ ନିଜକୁ ବିବାଦମୁକ୍ତ ରଖିବା ପାଇଁ ଜଷ୍ଟିସ ଲଳିତ ଖଣ୍ଡପୀଠରୁ ଓହରିଯିବା ପାଇଁ ଇଛା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର