ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ପାଇଁ ଏକ ୫ ଜଣିଆ ସମ୍ବିଧାନ ପୀଠ ଗଠିତ ହୋଇଛି। ଏଥିରେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ମୁଖ୍ୟ ରହିଛନ୍ତି। ଅନ୍ୟ ୪ ଜଣ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ୍ ଏସ୍ ଏ ବୋବ୍ଡ଼େ, ଜଷ୍ଟିସ୍ ଏନ୍ ଭି ରାମନା, ଜଷ୍ଟିସ୍ ୟୁ ୟୁ ଲଲିତ୍ ଏବଂ ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ ରହିଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ୍ କରାଯାଇ ହୋଇଥିବା ଡଜନେରୁ ଊର୍ଦ୍ଧ୍ବ ଆବେଦନର ଶୁଣାଣି କରାଯିବ। ବିଗତ କିଛି ଦଶନ୍ଧି ଧରି ଅଟକି ରହିଥିବା ଏହି ମାମଲାର ଫଏସଲା କରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ରାସ୍ତା ସଫା କରିବା ଲାଗି ବିଭିନ୍ନ ହିନ୍ଦୁ ସଂଗଠନ ଦାବି କରୁଥିବା ବେଳେ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ତେଣୁ ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ୫ ଜଣିଆ ସମ୍ବିଧାନ ପୀଠ ଗଠିତ ହେବା ପରେ ସେମାନଙ୍କୁ ଆଶ୍ବସ୍ତି ମିଳିଛି।
ଅଯୋଧ୍ୟାରେ ୧୯୯୨ ଡିସେମ୍ବର ୬ ତାରିଖରେ ବାବ୍ରୀ ମସ୍ଜିଦ୍ ଭଙ୍ଗାଯିବା ପରେ ସେଠାରେ ରହିଥିବା ୨.୭ ଏକର ଜମିକୁ ନେଇ ବିବାଦ ଫଏସଲା ହୋଇପାରୁନାହିଁ। ବିଭିନ୍ନ କୋର୍ଟରେ ଏ ନେଇ ରାୟ ପ୍ରକାଶ ପାଇବା ପରେ ଏବେ ସୁପ୍ରିମ୍ କୋର୍ଟରେ ଏହା ବିଚାରାଧୀନ ରହିଛି। ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ସ୍ବୀକାର କରିଥିଲେ ଯେ ବିବାଦୀୟ ଜମି ହେଉଛି ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ। ତେଣୁ ଏହି ଜମିର ଦୁଇତୃତୀୟାଂଶକୁ ହିନ୍ଦୁମାନଙ୍କୁ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ବଳକା ଜମି ଉତ୍ତର ପ୍ରଦେଶର ସୁନ୍ନି ସେଣ୍ଟ୍ରାଲ୍ ୱାକ୍ଫ ବୋର୍ଡକୁ ହସ୍ତାନ୍ତର କରାଯିବ ବୋଲି ହାଇକୋର୍ଟ ରାୟ ଦେଇଥିଲେ। କିନ୍ତୁ ଉଭୟ ହିନ୍ଦୁ ଓ ମୁସ୍ଲିମ୍ ସଂଗଠନଗୁଡ଼ିକ ଏହାକୁ ଚାଲେଞ୍ଜ୍ କରି ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମ୍ କୋର୍ଟ ୨୦୧୧ରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲାଗୁ କରିଥିଲେ।
ଉଲ୍ଲେଖଯୋଗ୍ୟ, ସୁପ୍ରିମ୍ କୋର୍ଟରେ ପଡ଼ିରହିଥିବା ୧୪ରୁ ଅଧିକ ଆବେଦନର ଶୁଣାଣି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଗତବର୍ଷ ଅକ୍ଟୋବରରେ ଉତ୍ତର ପ୍ରଦେଶ ସରକାର ନିବେଦନ କରିଥିଲେ। କିନ୍ତୁ ସୁପ୍ରିମ୍ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। କୋର୍ଟଙ୍କର ମଧ୍ୟ ନିଜସ୍ବ ଅନେକ ଦାୟିତ୍ବ ରହିଛି ବୋଲି ଖଣ୍ଡପୀଠ କହିଥିଲେ। ମାମଲାର ଶୁଣାଣି ଜାନୁଆରି, ମାର୍ଚ୍ଚ କିମ୍ବା ଏପ୍ରିଲ୍ରେ ହୋଇପାରେ ବୋଲି କୁହାଯାଇଥିଲା। ଅନ୍ୟପକ୍ଷରେ ଗତବର୍ଷ ସେପ୍ଟେମ୍ବରରେ ସୁପ୍ରିମ୍ କୋର୍ଟ ୧୯୯୪ ରାୟକୁ ବଦଳାଇବେ ନାହିଁ ବୋଲି କହିଥିଲେ। ୧୯୯୪ ରାୟରେ ମସ୍ଜିଦ୍ ଇସ୍ଲାମର ଅବିଚ୍ଛେଦ୍ୟ ଅଂଶ ନୁହେଁ ବୋଲି ସୁପ୍ରିମ୍ କୋର୍ଟ କହିଥିଲେ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର