ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ୮୫ ବର୍ଷ ବୟସରେ ଫେବ୍ରୁଆରି ୧୨ ତାରିଖରେ ଦେହାନ୍ତ ହୋଇ ଯାଇଛି। ସତ୍ୟେନ୍ଦ୍ର ଦାସଙ୍କ ମୃତ୍ୟୁ ପରେ ରାମ ମନ୍ଦିରର ମୁଖ୍ୟ ପୂଜକ କିଏ ହେବ ସେନେଇ ଚର୍ଚ୍ଚା ଚାଲିଥିଲା।
ସମ୍ପ୍ରତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମୁଖ୍ୟ ପୂଜାରୀକୁ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି।
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଜେନେରାଲ ସେକ୍ରେଟେରି ଚମ୍ପତ ରାଏ କହିଛନ୍ତି, ‘ଅଯୋଧ୍ୟା ରାମ ମନ୍ଦିରରେ ଆଉ କେହି ମୁଖ୍ୟ ପୂଜାରୀ ରହିବେ ନାହିଁ। ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ବୟସ ଓ ସମ୍ମାନ ତୁଳନାରେ କେହି ବି ପୂଜାରୀ ନାହାନ୍ତି। ସତ୍ୟେନ୍ଦ୍ର ଦାସ ୧୯୯୩ ମସିହାରୁ ଶ୍ରୀରାମଙ୍କ ସେବା କରି ଆସୁଛନ୍ତି। ତାଙ୍କର ମାସିକ ଦରମା ୧୦୦ଟଙ୍କା ଥିଲା। ଏବେ ଯେଉଁମାନେ ବି ଅଛନ୍ତି ସମସ୍ତେ ଯୁବକ। କେହି ବି ତାଙ୍କ ଭଳି ବିଦ୍ବାଦ ନୁହନ୍ତି। ତେଣୁ କାହାକୁ ମୁଖ୍ୟ ପୂଜାରୀ ଭାବେ ବଛା ଯାଇ ପାରି ନାହିଁ।
ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ପକ୍ଷାଘାତ ଭଳି ରୋଗରେ ପୀଡିତ ଥିଲେ। ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗ ମଧ୍ୟ ହୋଇଥିଲା। ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ରାମ ଜନ୍ମଭୂମିର ମୁଖ୍ୟ ପୂଜକ ଥିଲେ। ପାଖାପାଖି ୩୩ ବର୍ଷ ଧରି ରାମଲାଲା ମନ୍ଦିର ସହ ସେ ଜଡ଼ିତ ଥିଲେ। ୧୯୯୨ ମସିହାରେ ବାବରୀ ଧ୍ୱଂସ ପୂର୍ବରୁ ମଧ୍ୟ ସେ ଏହି ମନ୍ଦିରରେ ପୂଜା କରୁଥିଲେ।
ତାଙ୍କ ଜନ୍ମ ୧୯୪୫ ମସିହାରେ ଉତ୍ତରପ୍ରଦେଶର ସନ୍ଥ କବୀର ନଗର ଜିଲ୍ଲାରେ ହୋଇଥିଲା। ରାମ ମନ୍ଦିର ଆନ୍ଦୋଳନରେ ପ୍ରଭାବିତ ହୋଇ ସତ୍ୟେନ୍ଦ୍ର ଘର ଛାଡ଼ି ଦେଇ ସନ୍ୟାସୀ ହୋଇଯାଇଥିଲେ।