ଅଯୋଧ୍ୟା: ଟଙ୍କା ନଥିଲା ବୋଲି ମା’ ସମାନ ଶାଶୂକୁ ରାସ୍ତାରେ ଛାଡ଼ି ଚାଲିଗଲା ବୋହୂ। କର୍କଟ ଭଳି ଗମ୍ଭୀର ରୋଗରେ ଆକ୍ରାନ୍ତ ଶାଶୂର ଯତ୍ନ ନେବା ପରିବର୍ତ୍ତେ ବର୍ଷା ରାତିରେ ବାହାରେ ଛାଡ଼ିଦେଲା ବୋହୂ। ଚଳ ପ୍ରଚଳ କରିବାକୁ ଅସମର୍ଥ ଶାଶୂ ଅନେକ ସଂଘର୍ଷ କରିବା ପରେ ଏ ସଂସାରରୁ ବିଦାୟ ନେଇଥିଲା। ଛଟପଟ ହେଉଥିବା ବେଳେ ନା ଆସିଥିଲା ପୁଅ ନା ଆସିଲା ବୋହୂ। ଏଭଳି ଅଭାବନୀୟ ଘଟଣା ଘଟିଛି ଅଯୋଧ୍ୟା ଭଳି ପବିତ୍ର ଭୂମିରେ। ଗି କିଛି ଦିନ ତଳେ ଏହି ଘଟଣା ଘଟିଥିବାର ଭିଡିଓ ଖୁବ ଭାଇରାଲ ହୋଇଥିଲା। ଏବେ ଭିଡିଓକୁ ଆଧାର କରି ପୁଲିସ ଅଭିଯୁକ୍ତ ବୋହୂକୁ ଗିରଫ କରିଥିବା ଜଣାଯାଇଛି। ମୃତକଜଣକ ହେଲେ ଭଗବତୀ ଦେବୀ(୮୦)।
ସୂଚନା ମୁତାବକ, ଘଟଣାଟି ୨୩ ଜୁଲାଇ ରାତିରେ ଘଟିଥିଲା। ଜଣେ ବୃଦ୍ଧ ମହିଳାଙ୍କୁ ଏକ ଇ-ରିକ୍ସାରେ ଅଣାଯାଇ ଅଯୋଧ୍ୟାର ଏକ ଫର୍ଣ୍ଣିଚର ଦୋକାନ ବାହାରେ ଛାଡି ଦିଆଯାଇଥିଲା। ଯେତେବେଳେ ଦୋକାନୀ ଘନଶ୍ୟାମ ବର୍ମା ପରଦିନ ସକାଳ ୮:୩୦ରେ ଦୋକାନ ଖୋଲିବାକୁ ପହଞ୍ଚିଲେ ଏବଂ ମହିଳାଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଲେ, ସେ ତୁରନ୍ତ ପୁଲିସ ଏବଂ ଆମ୍ବୁଲାନ୍ସକୁ ଫୋନ୍ କରି ଡକାଇଲେ। ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଦେଖିବା ପରେ ଜଣାପଡ଼ିଲା ଯେ, ଦୁଇଜଣ ମହିଳା ଏବଂ ଜଣେ ଯୁବକ ବୃଦ୍ଧାଙ୍କୁ ରାସ୍ତା କଡ଼ରେ ଛାଡି, ଏକ ଚାଦର ଘୋଡ଼ାଇ ସେଠାରୁ ଚାଲିଯାଇଥିଲେ। ବୃଦ୍ଧା ବଞ୍ଚିଥିଲେ ମଧ୍ୟ ରାତିସାରା ବାହାରେ ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ବୋହୂ ଜୟା ସିଂହଙ୍କୁ ଗିରଫ କରିଥିବା ବେଳେ ଏବେ ଏହାର ପଛର କାରଣ ସାମ୍ନାକୁ ଆସିଛି। ସେ ପୁଲିସକୁ କହିଛନ୍ତି ଯେ, ସ୍ୱାମୀ ରାଜୁ ସିଂହ ସବୁବେଳେ ମଦ୍ୟପାନ କରି ନିଶାଗ୍ରସ୍ତ ହୋଇ ରହୁଛନ୍ତି। ଘର ଖର୍ଚ୍ଚରେ ସାହାଯ୍ୟ କରୁନାହାନ୍ତି। ଏଭଳି ସ୍ଥିତିରେ ଶାଶୁଙ୍କ ଚିକିତ୍ସା ସମ୍ଭବ ନଥିଲା। ତେଣୁ ମୁଁ ପଡ଼ୋଶୀ ଜଣେ ମହିଳା ଏବଂ ଜଣେ ଯୁବକଙ୍କ ସହାୟତାରେ ତାଙ୍କୁ ରାସ୍ତାରେ ପରିତ୍ୟକ୍ତ ଅବସ୍ଥାରେ ଛାଡି ଦେଇଥିଲି।
ଜୟାଙ୍କ ଦୋଷ ସ୍ବୀକାର ପରେ ଏବେ ପୁଲିସ ୩ଅଭିଯୁକ୍ତଙ୍କୁ ଗିରଫ କରିଛି।