ନୂଆଦିଲ୍ଲୀ: ଗତଗୁରୁବାର ସନ୍ଧ୍ୟାରେ ଅଯୋଧ୍ୟାର ଭଦର୍ଶା-ଭାରତକୁଣ୍ଡ ନଗର ପଞ୍ଚାୟତର ମହାରାଣା ପ୍ରତାପ ୱାର୍ଡରେ ଅବସ୍ଥିତ ପଗଲାଭାରୀ ଗାଁରେ ଏକ ଭୟଙ୍କର ବିସ୍ଫୋରଣ ଘଟି ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଘଟିଥିବା ଏହି ଶକ୍ତିଶାଳୀ ବିସ୍ଫୋରଣରେ ଗୋଟିଏ ଘର ଭୁଶୁଡ଼ି ପଡ଼ିଥିଲା। ଦୁଃଖର ବିଷୟ ଏହି ବିସ୍ଫୋରଣରେ ତିନି ଜଣ ଶିଶୁଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି।।
ମୃତକଙ୍କ ମଧ୍ୟରେ ରାମକୁମାର ଗୁପ୍ତା ଓ ତାଙ୍କ ପୁଅ ଇଶି (୧୦ ବର୍ଷ), ଲଭ (୭ ବର୍ଷ)ଙ୍କ ସମେତ ଅନ୍ୟଦୁଇଜଣ ପ୍ରସାଦ ଓ ଯଶ (୫ ବର୍ଷ)ବି ସାମିଲ ଅଛନ୍ତି।
ଗ୍ରାମବାସୀମାନେ ସୂଚନା ଦେଇଛନ୍ତି ଯେ ବିସ୍ଫୋରଣର ଶବ୍ଦ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ନିକଟବର୍ତ୍ତୀ ଅନେକ ଘରର କାନ୍ଥକୁ ଥରାଇ ଦେଇଥିଲା। ଘରଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ କେବଳ ଭଗ୍ନାବଶେଷ ଏବଂ ଧୂଆଁ ଦୃଶ୍ୟମାନ ହେଉଥିଲା।
ସୂଚନା ପାଇବା ପରେ, ପୁଲିସ ଅଧିକାରୀମାନେ ସେମାନଙ୍କ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ। ଭଗ୍ନାବଶେଷରୁ ପାଞ୍ଚ ଜଣଙ୍କୁ ବାହାର କରି ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ଏଠାରେ ଡାକ୍ତର ସମସ୍ତ ଆହତଙ୍କୁ ମୃତ ଘୋଷଣା କରାଯାଇଥିଲେ। ସିଲିଣ୍ଡର ଫାଟିଯିବାରୁ ଏହି ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
#WATCH | Uttar Pradesh: 5 people died following an explosion in a house in Ayodhya. Police and administration are at the spot, and rescue and search operations are underway. pic.twitter.com/JbPA21Nden
— ANI (@ANI) October 9, 2025
ଦୁଃଖଦ ବିଷୟ ହେଉଛି ପୀଡ଼ିତ ପରିବାର ଗତବର୍ଷ ବି ବିସ୍ଫୋରଣର ଶିକାର ହୋଇଥିଲା। ଘର ମାଲିକ ରାମକୁମାରଙ୍କ ପୁରୁଣା ଘରେ ବିସ୍ଫୋରଣ ହୋଇ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଏହି ବିସ୍ଫୋରଣରେ ସେ ତାଙ୍କ ସ୍ତ୍ରୀ, ମା’ ଓ ଜଣେ ଛୁଆକୁ ହରାଇ ଦେଇଥିଲେ। ଏହାପରେ ରାମକୁମାର ନୂତନ ଘର ତିଆରି କରିଥିଲେ।